ଭୁବନେଶ୍ୱର,୩।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ସରଗରମ ରହିଛି। ଓଡ଼ିଶା ୪ ରାଜ୍ୟ ସଭା ଆସନରେ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ୱାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନ ପାଇଁ ଭୋଟ ହେବାର ସମ୍ଭାବନା ନାହିଁ। ହେଲେ ୪ର୍ଥ ଆସନକୁ ନେଇ ଯେଉଁ ଚର୍ଚ୍ଚା ଆଲୋଚନା ଚାଲିଥିଲା ସେଥିରେ ଏକ ନୂଆ ଅଙ୍କ ଦେଖିବାକୁ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ଭାବେ ଗତ ବିଧାନସଭା ନିର୍ୱାଚନରେ ରାଉରକେଲା ଆସନରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିବା ତଥା ବ୍ୟବସାୟୀ ଦିଲୀପ ରାୟ ମଇଦାନକୁ ଓହ୍ଲାଇ ଥିବାବେଳେ ତାଙ୍କୁ ସମର୍ଥନ କରିବ ବୋଲି ଭାଜପା ସ୍ପଷ୍ଟ କରିଛି। ସେହିପରି ଭାଜପା ଦିଲ୍ଲୀ ମୁଖ୍ୟାଳୟ ପକ୍ଷରୁ ନୀତିଗତ ଭାବେ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବର୍ତ୍ତମାନ ଏମପି ଥିବା ସୁଜିତ କୁମାରଙ୍କୁ ରାଜ୍ୟ ସଭା ଟିକେଟ ଦେଇଛି।
ସେହିପରି ବିଜେଡି ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ଯାହାଙ୍କୁ କଂଗ୍ରେସ ମଧ୍ୟ ସମର୍ଥନ କରିବ ବୋଲି କହିଛି।
ତେବେ ଏହାରି ଭିତରେ ରାଜ୍ୟ ସଭା ନିର୍ୱାଚନରେ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ ଆସନ ପାଇଁ କୌଣସି ପରିସ୍ଥିତିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଭାଜପାର ସମର୍ଥନ ରହିଥିବା କୌଣସି ପ୍ରାର୍ଥୀଙ୍କୁ ସି.ପି.ଆଇ.(ଏମ) ସମର୍ଥନ କରିବ ନାହିଁ ବୋଲି କହିଛି। ରାଜ୍ୟ ସଭା ନିର୍ୱାଚନ ସମ୍ପର୍କରେ ୧୦ ମାଚ୍ଚରେ ସି .ପି .ଆଇ. (ଏମ) ରାଜ୍ୟ ସମ୍ପାଦକମଣ୍ଡଳୀ ବୈଠକରେ ଚୁଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସି. ପି.ଆଇ. (ଏମ) ଓଡ଼ିଶା ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ସି .ପି.ଆଇ.(ଏମ) ର ଜରୁରୀ ରାଜ୍ୟ ସମ୍ପାଦକ ମଣ୍ଡଳୀ ବୈଠକ ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବୈଠକରେ ସର୍ୱଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଅଳି କିଶୋର ପଟ୍ଟନାୟକ, ସନ୍ତୋଷ ଦାସ, ପୁଷ୍ପା ଦାଶ,ଜମେଶ୍ୱର ସାମନ୍ତରାୟ ଏବଂ ବଦ୍ରି ନାରାୟଣ ଦାଶ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

