ଭୁବନେଶ୍ୱର,୨୪।୧୦: ନାବାଳିକା ବଳାତ୍କାର ମାମଲାରେ ଗିରଫ ହୋଇଥିବା ବିଏମ୍ସି ୪୫ ନଂ. ୱାର୍ଡ କର୍ପୋରେଟର ଅମରେଶ ଜେନା ଓରଫ ବାଇଆଁ ପ୍ରାୟ ୩ ମାସ ପରେ ଝାରପଡ଼ା ଜେଲରୁ ବାହାରିଛନ୍ତି। ସାରେ ସମର୍ଥକମାନେ ଅମରେଶଙ୍କୁ ସ୍ବାଗତ କରି ଭବ୍ୟ ପଟୁଆରରେ ପାଛୋଟି ନେଇଥିଲେ। ଏହି ସମୟରେ ଅମରେଶ କହିଥିଲେ, ମୋର ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। ପ୍ରଭୁ ଜଗନ୍ନାଥ ଓ ନ୍ୟାୟାଳୟ ଉପରେ ଭରସା ଥିଲା। ପ୍ରାରମ୍ଭିକ ନ୍ୟାୟ ପାଇଥିବାବେଳେ ଆଗାମୀ ଦିନରେ ସମ୍ପୂର୍ଣ୍ଣ ନ୍ୟାୟ ପାଇବେ। ଷଡ଼ଯନ୍ତ୍ରକାରୀମାନଙ୍କୁ ଭଗବାନ କ୍ଷମା କରିଦିଅନ୍ତୁ ବୋଲି ସେ କହିଛନ୍ତି। ଅକ୍ଟୋବର ୧୭ରେ ହାଇକୋର୍ଟ ଅମରେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ।
ଅମରେଶଙ୍କୁ କେବଳ ତାଙ୍କ ସମର୍ଥକମାନେ ନୁହେଁ, ଭାଜପା ନେତା ଜଗନ୍ନାଥ ପ୍ରଧାନ ଏବହ ତାଙ୍କ ସମର୍ଥକମାନେ ଭବ୍ୟ ସ୍ବାଗତ କରିଥିଲେ। ଜେଲ୍ରୁ ଫେରିବା ପରେ ଅମରେଶ ବିଜେଡି ଛାଡ଼ି ଭାଜପାରେ ଯୋଗଦେବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଅମରେଶ ଜେନାଙ୍କୁ ପ୍ରଶଂସା କରି ଜଗନ୍ନାଥ କହିଛନ୍ତି, ସେ ଲୋକଙ୍କ ଦୁଃଖ ସୁଖର ସାଥୀ। ତେଣୁ ତାଙ୍କ ଦୁଃଖ ଏବଂ ସୁଖରେ ମୁଁ ଅଛି। ବିଜେଡି ଓ ନବୀନ ବାବୁ ଦୁଃଖ ସମୟରେ ତା’ ହାତ ଛାଡିଦେଇଛନ୍ତି। ଅମରେଶଙ୍କ ସହ ଅନ୍ୟାୟ ହୋଇଛି। ଏବେ ସିଏ ବାହାରକୁ ଆସିଛନ୍ତି, ପୂରା ସତ୍ୟାସତ୍ୟ ସାମ୍ନାକୁ ଆସିବ। ଅମରେଶ ଜେନା ଯଦି ହଁ କହିବେ, ତାହେେଲେ ମୁଁ ଭାଜପାକୁ ସ୍ବାଗତ କରିବା ସହ ଶୀର୍ଷ ନେତୃତ୍ୱଙ୍କ ସହ କଥା ହେବି। ଅମରେଶ ଆସିଲେ ଆହୁରି ମଜଭୁତ ହେବ।
ସୂଚନାଯୋଗ୍ୟ, ବିବାହର ପ୍ରତିଶ୍ରୁତି ଦେଇ ଅମରେଶ ବଳାତ୍କାର କରିଥିବା ଗତ ଜୁଲାଇ ୨୩ରେ ୧୯ ବର୍ଷୀୟା ଜଣେ ପୀଡ଼ିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅମରେଶଙ୍କ ନଁାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତା ନାବାଳିକା ଥିବା ସମୟରୁ ଅମରେଶ ତାଙ୍କ ସହ ଅମାନୁଷିକ କାଣ୍ଡ ଘଟାଇଥିଲେ। ଏପରିକି ପୀଡ଼ିତାଙ୍କ ଗର୍ଭପାତ କରାଇ ତାଙ୍କୁ ତଣ୍ଟିଚିପି ହତ୍ୟା ଉଦ୍ୟମ କରିବା ସହ ଭୁବନେଶ୍ୱର ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅମରେଶଙ୍କୁ ଜୁଲାଇ ୨୭ରେ ବାଲେଶ୍ୱରରୁ ଗିରଫ କରିଥିଲା। ଏହାପୂର୍ବରୁ ତାଙ୍କୁ ଫେରାର କରାଇବା ଅଭିଯୋଗରେ ୫ଜଣ ସହଯୋଗୀ ଗିରଫ ହୋଇଥିଲେ।