ଚ୍ୟାଲେଞ୍ଜ ସୃଷ୍ଟି କରିଛି ବନ୍ୟପ୍ରାଣୀଙ୍କ ସୁରକ୍ଷା: ହାତୀ-ମଣିଷ ସହାବସ୍ଥାନକୁ ନେଇ ଆଲୋଚନା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାର୍କ ଲାଇନସ୍ଥିତ ଅଡିଟରିଅମରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ହାତୀ ଓ ମଣିଷ ସହାବସ୍ଥାନ ସମ୍ପର୍କରେ ଆଲୋଚନା ହୋଇଛି।

ଅତିଥି ଭାବେ ତେଲକୋଇ ବିଧାୟକ ଡକ୍ଟର ଫକୀର ଚରଣ ନାୟକ, କେନ୍ଦୁଝରଗଡ଼ ପୋରାଧ୍ୟକ୍ଷା ନିକୁ ସାହୁ, ଏସ୍‌ପି ନୀତିନ କୁଶଲକର ଯୋଗ ଦେଇଥିବା ବେଳେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍‌. ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂପ୍ରତି ବିଶ୍ୱ ପ୍ରାଣୀ ସପ୍ତାହ ପାଳନ ହେଉଥିବା ବେଳେ ବନ୍ୟପ୍ରାଣୀଙ୍କ ସୁରକ୍ଷା ବର୍ତ୍ତମାନ ସମୟରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବିଶେଷକରି କେନ୍ଦୁଝର ଭଳି ଖଣି ଖଦାନ ବହୁଳ ଜିଲ୍ଲାରେ ହାତୀ ଉପଦ୍ରବ, ମଣିଷ ଓ ହାତୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ତିକ୍ତତା ପ୍ରମୁଖ ପ୍ରସଙ୍ଗ ହୋଇଛି। ଏଣୁ ଏଭଳି ସମୟରେ ହାତୀ ଓ ମଣିଷ ମଧ୍ୟରେ କିପରି ସମନୟ ରକ୍ଷା କରାଯାଇ ଉଭୟଙ୍କ ସୁରକ୍ଷା ହୋଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।

ମୁଖ୍ୟବକ୍ତା ଭାବେ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତ୍‌ପଥୀ ଯୋଗ ଦେଇ ସାଂପ୍ରତିକ ପରିସ୍ଥିତିରେ ହାତୀ ଓ ମଣିଷ କିଭଳି ସୁରକ୍ଷିତ ରହି ପାରିବେ ଏଥିପାଇଁ ସରକାରୀ ସ୍ତରରେ କଣ ପଦକ୍ଷେପ ନିଆଯାଇପାରିବ ସେ ନେଇ ନିଜର ଅଭିବ୍ୟକ୍ତ ପ୍ରକାଶ କରିଥିଲେ।

ଏହି ଅବସରରେ ଐରାବତ ଶୀର୍ଷକ ଏକ ଥିଏଟର ଶୋ’ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଲୋକପ୍ରତିନିଧି, ବନସୁରକ୍ଷା ସମିତି ସଭାପତି, ଗଜସାଥୀ, ବନ ବିଭାଗ କର୍ମଚାରୀ ସମେତ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ଉପଖଣ୍ଡ ସ୍ତରର ପରିବେଶବିତ୍‌ମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ହାତୀ ଦ୍ୱାରା କ୍ଷତିଗ୍ରସ୍ତ ପରିବାରଙ୍କୁ ସରକାରୀ ଅନୁଦାନ ପ୍ରଦାନ କରାଯାଇଥିଲା।

 

Dharitri – Odisha’s No.1, Most Trusted Odia Daily

Share