ନବରଙ୍ଗପୁର,୨୮।୯ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଶନିବାର ଓଟିଇଟି ପରୀକ୍ଷା ହୋଇଛି। ଏଠାରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ତ୍ରୀ ଚୈଇତି ଗଣ୍ଡ ଓ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀଙ୍କ ସ୍ତ୍ରୀ ତରୁଣୀ ମାଝୀ ପରୀକ୍ଷା ଦେଇଛନ୍ତି। ଚୈଇତି ଉମରକୋଟ ବ୍ଲକ୍ ଡଙ୍ଗରିଗୁଡ଼ା ୟୁଭି-୩ ସ୍କୁଲରେ ଶିକ୍ଷକତା କରୁଥିବାବେଳେ ତରୁଣୀ ମାଝୀ ନନ୍ଦାହାଣ୍ଡି ଜେଟୁଗୁଡା ସ୍କୁଲରେ ଶିକ୍ଷକତା କରୁଛନ୍ତି। ତେବେ ଦୁହେଁ ଓଡ଼ିଶା ସରକାରଙ୍କ ନିୟମ ଅନୁଯାୟୀ ନିଜ ନିଜ କେନ୍ଦ୍ରରେ ଓଟିଇଟି ପରୀକ୍ଷା ଦେଇଛନ୍ତି। ନବରଙ୍ଗପୁର ଜିଲାରେ ୨ଟି ସିଟିଂରେ ଓଟିଇଟି ପରୀକ୍ଷା ହୋଇଥିଲା। ପ୍ରଥମ ସିଟିଂ ୪ଟି କେନ୍ଦ୍ରରେ ହୋଇଥିଲା। ୮୪୮ଜଣ ଶିକ୍ଷକଙ୍କ ମଧ୍ୟରୁ ୭୮୭ ଜଣ ପରୀକ୍ଷା ଦେଇଥିଲେ। ୬୧ଜଣ ଅନୁପସ୍ଥିତ ଥିଲେ। ସେହିଭଳି ଦ୍ୱିତୀୟ ସିଟିଂ ୬ଟି କେନ୍ଦ୍ରରେ କରାଯାଇଥିଲା। ୧୫୯୮ଜଣଙ୍କ ମଧ୍ୟରୁ ୧୫୩୪ଜଣ ପରୀକ୍ଷା ଦେଇଥିବା ବେଳେ ୬୪ଜଣ ଶିକ୍ଷକ ଅନୁପସ୍ଥିତ ରହିଥିଲେ। ଏହି କେନ୍ଦ୍ରଗୁଡ଼ିକୁ ଜିଲାପାଳ ଡ. ମହେଶ୍ୱର ସ୍ବାଇଁ, ଅତିରିକ୍ତ ଜିଲାପାଳଙ୍କ ସମେତ ଜିଲା ଶିକ୍ଷାଧିକାରୀ ପରିଦର୍ଶନ କରିଥିଲେ।


