ସମ୍ବଲପୁର,୧୮।୧୨(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଏମସିଏଲ ଜାଗୃତିବିହାର ଠାରେ ଜଣେ ଏମସିଏଲ କର୍ମଚାରୀଙ୍କୁ ତାଙ୍କ ଧର୍ମପତ୍ନୀ ତଣ୍ଟି ଚିପି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଝାରସୁଗୁଡ଼ା ଲଖନପୁର ମୂଳ ବାସିନ୍ଦା ତଥା ବର୍ତ୍ତମାନ ବୁର୍ଲା ଏମସିଏଲରେ କର୍ମଚାରୀ ଆକାଶ ମୁଣ୍ଡା(୨୫)। ତାଙ୍କୁ ହତ୍ଯା କରିଥିବା ଅଭିଯୁକ୍ତ ସ୍ତ୍ରୀଙ୍କୁ ଗିରଫ କରିଛି ପୋଲିସ। ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲା ଭସ୍ମଲେପନ ଅନ୍ତର୍ଗତ ଦେଉଳି ଗ୍ରାମର ସରସ୍ଵତୀ ମୁଣ୍ଡା(୨୩)। ତାଙ୍କଠାରୁ ହତ୍ଯାରେ ବ୍ଯବହୃତ ହୋଇଥିବା ଗାମୁଛାକୁ ପୋଲିସ ଜବତ କରିଛି। ଏନେଇ ମୃତକ ଆକାଶଙ୍କ ବଡ଼ ଭଉଣୀ ସଂଯୁକ୍ତା ମୁଣ୍ଡାଙ୍କ ଏତଲା କ୍ରମେ ବୁର୍ଲା ଥାନାରେ କେସ ନମ୍ବର ୫୭୨/୨୦୧୫ରେ ଏକ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିଲା। ଏହାସହ ପୋଲିସ ଅଭିଯୁକ୍ତା ସରସ୍ବତୀଙ୍କ ଗୁରୁବାର କୋର୍ଟ ଚାଲାଣ କରିଛି ।
ମିଳିଥିବା ସୂଚନା ଅନୁସାରେ ଏତଲାକାରୀ ସଂଯୁକ୍ତାଙ୍କ ଅନୁସାରେ, ତାଙ୍କ ଭାଈ ଆକାଶ ଏମସିଏଲରେ କାର୍ଯ୍ଯ କରୁଥିଲେ। ସେ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆ ସହ ଜାଗୃତିବିହାରରେ ଏମସିଏଲର କ୍ୱାର୍ଟରରେ ରହୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କ ପଡ଼ୋଶୀଙ୍କ ଠାରୁ ଆକାଶଙ୍କୁ ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତ୍ତି କରାଯାଇଥିବା ଖବର ମିଳିଥିଲା। ଏହାପରେ ତତକ୍ଷଣାତ ସେ ଆସି ଭିମସାରରେ ପଞ୍ଚିଥିଲେ। ମାତ୍ର ସେତେବେଳକୁ ତାଙ୍କ ଭାଈଙ୍କ ମୃତ୍ଯୁ ହୋଇ ସାରିଥିଲା। ତେବେ ସେ ପଡ଼ୋଶୀଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ଉକ୍ତଦିନ ସନ୍ଧ୍ଯାରେ କୌଣସି କଥାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ଯରେ ଝଗଡ଼ା ହାତାହାତି ପର୍ଯ୍ଯନ୍ତ ଯାଇଥିଲା। ତେବେ ଏହି ସମୟରେ ଆକାଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପଡ଼ୋଶୀ ଲୋକେ ତୁରନ୍ତ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଅପରପକ୍ଷରେ ଗୁରବାର ବ୍ଯବଚ୍ଛେଦ ରିପୋର୍ଟ ଆସିଲା ପରେ ଆକାଶଙ୍କ ଶ୍ବାସରୁଦ୍ଧ ଜନିତ କାରଣରୁ ମୃତ୍ଯୁ ଘଟିଥିବା ଜଣା ପଡ଼ିଥିଲା। ଆକାଶଙ୍କ ଭଉଣୀଙ୍କ ଓ ବ୍ଯବଚ୍ଛେଦ ରିପୋର୍ଟ ଆଧାରରେ ତାଙ୍କ ସ୍ତ୍ରୀ ସରସ୍ବତୀଙ୍କ ଗିରଫ କରି ପଚରା ଉଚରା ବେଳେ ସେ ଆକାଶଙ୍କୁ ଏକ ଖାମୁଛାରେ ତଣ୍ଟିଚିପି ହତ୍ଯା କରିଥିବା ସ୍ବୀକାର କରିଥିଲେ। ଏହାବାଦ ତାଙ୍କୁ ଗିରଫ କରାଯାଥିଲା ବୋଲି ପୋଲିସ କହିଛି ।