ଭୁବନେଶ୍ୱର,୨୧।୯(ସୁନିତ୍ ମିଶ୍ର): ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୩ ଲକ୍ଷ ୯୯ ହଜାର ୦୧୯ ଜଣ, ଦ୍ୱିତୀୟ କିସ୍ତିରେ ୫ ଲକ୍ଷ ୮୨ ହଜାର ୮୦୪ ଜଣ ଏବଂ ୩ୟ କିସ୍ତିରେ ୭ ଲକ୍ଷ ୬୬ ହଜାର ୫୮୯ ଜଣ ହିତାଧିକାରୀଙ୍କ ନାମ କଟିଥିବା ବେଳେ ୧ ଲକ୍ଷ ୦୭ ହଜାର ୯୩୦ ଜଣ ମହିଳାଙ୍କ ନାମ ନୂତନ ଭାବେ ଯୋଡ଼ିହୋଇଛି। ସୁଭଦ୍ରା ପୋର୍ଟାଲରେ ଜୀବିତ ମହିଳାଙ୍କୁ ମୃତ ବୋଲି ଦର୍ଶାଯାଇଥିବା ଘଟଣାର ତର୍ଜମା କରାଯାଉଛି। ସେହିପରି ୧ ଲକ୍ଷ ୮୩ ହଜାର ୭୫୮ ଜଣ ମହିଳା ପ୍ରଥମ କିସ୍ତି ପରେ ଦ୍ୱିତୀୟ କିସ୍ତି ବେଳକୁ ଆଉ ଟଙ୍କା ପାଇନାହାନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ବିଧାୟକ ଚକ୍ରମଣି କହଁର ଶନିବାର ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୯୫ ହଜାର ୮୫୩ ଜଣ ମହିଳାଙ୍କୁ ଏକାବେଳେ ୩ଟି କିସ୍ତିର ଟଙ୍କା ଦିଆଯାଇଛି। ସୁଭଦ୍ରା ନିର୍ଦ୍ଦେଶାବଳୀ ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଧାର୍ଯ୍ୟ ଜୁଲାଇ ୨୦୨୪ ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ। ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଜୁଲାଇ ୧୯୬୪ଠାରୁ ୧ଜୁଲାଇ ୨୦୦୪ ପର୍ଯ୍ୟନ୍ତ ହେବା ଉଚିତ। ୨୦୨୪-୨୫ ପାଇଁ ଯଦି ଜଣେ ମହିଳା ୧ ଜୁଲାଇ ୨୦୨୪ ପରେ ୨୧ ବର୍ଷ ବୟସ ଅତିକ୍ରମ କରିବେ ତେବେ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡିକ ପାଇଁ ତାଙ୍କୁ ବାର୍ଷିକ ୧୦ ହଜାର ଟଙ୍କା ମିଳିବ। ସେହିପରି ଯେଉଁ ମହିଳା ୧ ଜୁଲାଇ ୨୦୨୪ ପରେ ୬୦ ବର୍ଷ ପୂରଣ କରିବେ ତାଙ୍କୁ ଯୋଜନା ଅବଧିର ଅବଶିଷ୍ଟ ବର୍ଷଗୁଡିକ ପାଇଁ ଏହି ସହାୟତା ଦିଆଯିବ ନାହିଁ। ବର୍ତ୍ତମାନ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିରେ ୧,୦୨,୮୦,୦୯୨ ଜଣ , ୨ୟ କିସ୍ତିରେ ୧,୦୦,୯୬,୩୦୭ ଜଣ ଏବଂ ୩ୟ କିସ୍ତିରେ ୯୬,୯୬,୯୫୫ ଜଣ ମହିଳାଙ୍କୁ ସାମିଲ କରାଯାଇଛି। ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ନିକଟରେ ୧,୦୯,୮୭, ୮୯୪ ଜଣ ମହିଳା ଆବେଦନ କରିଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।