ଭୁବନେଶ୍ୱର,୧୬।୧: ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅରବିନ୍ଦଙ୍କ ବାପା ବିଜୟ ମହାପାତ୍ର। ସେ କହିଛନ୍ତି,ଅରବିନ୍ଦଙ୍କ ନିଲମ୍ବନ ପଛରେ ଷଡଯନ୍ତ୍ର ଥାଇପାରେ। ବିଶ୍ବାସଘାତକ କହି ନିଲମ୍ବନ କରାଯାଇଛି କିନ୍ତୁ କିଏ ବିଶ୍ବାସଘାତକ କରିଛନ୍ତି ତାହା ଲୋକେ କହିବେ। ଆଗାମୀ ଦିନରେ ସବୁକିଛି ସ୍ପଷ୍ଟ ହୋଇଯିବ। ଅପେକ୍ଷା କର, ଆଗକୁ କ’ଣ ଘଟୁଛି ଦେଖ। ବାପା କିଛି ଭୁଲ କରିନାହାନ୍ତି ତେଣୁ ପୁଅ ଉପରେ କାହିଁକି ଆକ୍ସନ ନିଆଗଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ପୁଅକୁ ଦଳକୁ ବିଦା କରିବା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା। କେଉଁ ଆଧାରରେ ଏମିତି ପଦକ୍ଷେପ ନିଆଗଲା ତାହା କହିବା କଷ୍ଟକର ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ,ନିଲମ୍ବନ ଆଦେଶ ଘୋଷଣା ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅରବିନ୍ଦ କହିଛନ୍ତି, ଆଜି ପର୍ଯ୍ୟନ୍ତ କୌଣସି ମେଳିକୁ ଯାଇନାହିଁ। ସବୁବେଳେ ସେ ତାଙ୍କ ନିର୍ବାଚନମଣ୍ଡଳୀ ଭିତରେ ରହିଛନ୍ତି। କେଉଁ ଭୋଜିଭାତକୁ ବି ଯାଇନାହାନ୍ତି। କେଉଁଠାରେ ବି ଦଳର ହୁଇପ୍ ଦିଆଯାଇଛି ଯାହା ସେ ମାନିନାହାନ୍ତି ସେମିତି ମଧ୍ୟ କିଛି ନାହିଁ। ସେପରି କିଛି ବିବାଦୀୟ ମନ୍ତବ୍ୟ ଦେଇନାହାନ୍ତି। ସେ ଆଗ କାହିଁକି ଦଳରୁ ନିଲମ୍ବନ ହୋଇଛନ୍ତି ସେକଥା ଜାଣିବା ପରେ ଯାହା କହିବେ ବୋଲି ଅରବିନ୍ଦ କହିଛନ୍ତି।