
ନୂଆଦିଲ୍ଲୀ, ୨୯।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ହମଲା, ଯେଉଁଥିରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା, ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଚରମ ସୀମାରେ ପହଞ୍ଚାଇଛି। ଯାହା ଏବେ ଯୁଦ୍ଧ ପରସ୍ଥିତିକୁ ଆହୁରି ରୁ ଆହୁରି କୁ ଘନେଇଛି। ଏହି ଘଟଣା ପରେ ଭାରତ ୧୯୬୦ ମସିହାର ଇଣ୍ଡସ ଜଳ ଚୁକ୍ତି ସ୍ଥଗିତ ରଖିଛି, ଅଟାରୀ ସୀମାନ୍ତ ବନ୍ଦ ଏଥିସହ ଆକାଶମାର୍ଗ ବନ୍ଦ କରିଛି ଏବଂ ପାକିସ୍ତାନୀ ନାଗରିକମାନଙ୍କ ପାଇଁ ଭିସା ସେବା ବନ୍ଦ କରିଛି। ପାକିସ୍ତାନ ମଧ୍ୟ ଭାରତୀୟ ବିମାନଗୁଡ଼ିକ ପାଇଁ ଆକାଶମାର୍ଗ ବନ୍ଦ କରି ଓ ଶିମଲା ଚୁକ୍ତି ସ୍ଥଗିତ ରଖି ପାଲଟା ଜବାବ ଦେଇଛି। ଏହା ପୂର୍ବରୁ ପାକ୍ ଭାରତକୁ ପରମାଣୁ ଧମକ ଦେଇସାରିଛି। ତେବେ ଜାଣନ୍ତି କି ପାକିସ୍ତାନର ପରମାଣୁ ଅସ୍ତ୍ର ବ୍ୟବହାର କରିବାର ରିମୋଟ କାହା ପାଖରେ ରହିଛି।
ପାକିସ୍ତାନର ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ଦାୟିତ୍ୱ ରାଷ୍ଟ୍ରୀୟ କମାଣ୍ଡ ଅଥରିଟି (ଏନସିଏ) ଉପରେ ନ୍ୟସ୍ତ। ଏହି ସଂସ୍ଥା ପାକିସ୍ତାନର ପରମାଣୁ ଅସ୍ତ୍ର ସମ୍ପର୍କିତ ନୀତି ର୍ନିଦ୍ଧାରଣ ଓ ନିୟନ୍ତ୍ରଣ କରେ। ଏନସିଏର ଅଧ୍ୟକ୍ଷ ହେଉଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ, ବର୍ତ୍ତମାନ ଶେହବାଜ ସରିଫ। ଯୁଦ୍ଧ ପରିସ୍ଥିତିରେ ପରମାଣୁ ଅସ୍ତ୍ର ବ୍ୟବହାର ସମ୍ପର୍କିତ ଚୂଡ଼ାନ୍ତ ନିଷ୍ପତ୍ତି ଏନସିଏ ନେଇଥାଏ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନ୍ୟ ବରିଷ୍ଠ ସାମରିକ ଓ ବେସାମରିକ ନେତାମାନେ ସାମିଲ ହୋଇଥା’ନ୍ତି। ଏହି ସଂସ୍ଥାରେ ପାକିସ୍ତାନର ସେନା ମୁଖ୍ୟ, ବିଦେଶ ମନ୍ତ୍ରୀ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀମାନେ ରହିଛନ୍ତି।
ସୂଚନା ଅନୁଯାୟୀ, ପାକିସ୍ତାନର ପରମାଣୁ ଅସ୍ତ୍ର ସମ୍ପୂର୍ଣ୍ଣ ଭାବେ ଏନସିଏର ନିୟନ୍ତ୍ରଣାଧୀନ ରହିଛି, ଏବଂ କୌଣସି ସାମରିକ ଜେନେରାଲ ଏକାକୀ ଭାବେ ଏହାର ବ୍ୟବହାର ନିଷ୍ପତ୍ତି ନେଇପାରିବେ ନାହିଁ। ଏକ୍ସ ପୋଷ୍ଟରେ ଦାବି କରାଯାଇଥିଲା ଯେ ପାକିସ୍ତାନ ଓ ଭାରତରେ ସାମରିକ ଜେନେରାଲମାନେ ପରମାଣୁ ଅସ୍ତ୍ର ବ୍ୟବହାର କରିପାରନ୍ତି, କିନ୍ତୁ ଏହା ଭୁଲ ବୋଲି ସ୍ପଷ୍ଟ ହୋଇଛି। ଭାରତରେ ମଧ୍ୟ ପରମାଣୁ ଅସ୍ତ୍ର ନିୟନ୍ତ୍ରଣ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥାଏ।
ପହଲଗାମ ହମଲା ପରେ ପାକିସ୍ତାନରୁ ପରମାଣୁ ଅସ୍ତ୍ର ବ୍ୟବହାରର ଧମକ ସାମ୍ନାକୁ ଆସିଛି। ପାକିସ୍ତାନର ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ନଜମ ସେଠୀ ଭାରତ ବିରୋଧରେ ପରମାଣୁ ବୋମା ପକାଇବାର ଧମକ ଦେଇଛନ୍ତି। ସେହିପରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ମଧ୍ୟ ଏକ ସାକ୍ଷାତକାରରେ ସମ୍ପୂର୍ଣ୍ଣ ଯୁଦ୍ଧର ସମ୍ଭାବନା ପ୍ରକାଶ କରି ଆନ୍ତର୍ଜାତୀୟ ସମୁଦାୟକୁ ଚିନ୍ତିତ ହେବାକୁ କହିଛନ୍ତି। ତେବେ, ଆସିଫ ପରେ ଦାବି କରିଛନ୍ତି ଯେ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି।