ଭୁବନେଶ୍ୱର,୬।୩(ସୁନିତ୍ ମିଶ୍ର):୨୦୧୪ ମସିହାରେ ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ସମର୍ଥିତ ଏନ୍ଡିଏ ସରକାର ଆସିଥିଲା। ଏହା ପରଠାରୁ ୨୦୨୪ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଅନେକ ନିଷ୍ପତ୍ତିରେ ତତ୍କାଳୀନ ବିଜେଡି ସରକାର ଉପରେପଡ଼ି ଖୋଲାଖୋଲି ସମର୍ଥନ ଦେଇଆସୁଥିଲା। ଏପରିକି ବିଜେଡି ସରକାରର ସମର୍ଥନରେ ବର୍ତ୍ତମାନର କେନ୍ଦ୍ର ରେଳମନ୍ତ୍ରୀ ଥିବା ଅଶ୍ୱିନୀ ବୈଷ୍ଣବ ୨ ଥର ରାଜ୍ୟ ସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ବିଜେଡି ଓ ଭାଜପା ମଧ୍ୟରେ ରହୁଥିବା ଏଭଳି ସହମତିକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ରାଜନୀତିରେ ବହୁ ଚର୍ଚ୍ଚା ହେଉଥିଲା। ମାତ୍ର ୨୦୦୦ ମସିହା ପରଠାରୁ କେବେହେଲେ କଂଗ୍ରେସକୁ କୌଣସି ପ୍ରସଙ୍ଗରେ ରାଜ୍ୟରେ ବିଜେଡି ସମର୍ଥନ କରିବାର ଦୃଶ୍ୟ ଦେଖିବାକୁ ମିଳୁ ନ ଥିଲା। ମାତ୍ର ମାର୍ଚ୍ଚ ୧୬ରେ ଓଡ଼ିଶାରେ ହେବାକୁ ଥିବା ୪ ରାଜ୍ୟ ସଭା ଆସନର ନିର୍ବାଚନରେ ବିଜେଡି ଏବଂ କଂଗ୍ରେସ ଏକାଠି ହୋଇଛନ୍ତି। ଏହାପରେ ରାଜ୍ୟ ରାଜନୀତିରେ ଏକ ଚର୍ଚ୍ଚା ଆରମ୍ଭ ହୋଇଛି, ବିଜେଡି ସଭାପତି ନବୀନ ପଟ୍ଟନାୟକ ଭାଜପା ସହିତ ରହିବାକୁ ଚାହିଁଲେନି ନା ଶାସକ ଦଳ ତାଙ୍କୁ ଛାଡ଼ପତ୍ର ଦେଲା। ବିଜେଡି ଏବଂ କଂଗ୍ରେସ କେଉଁ ପରିସ୍ଥିତିରେ ଏକାଠି ହେଲେ, ତାହା ମଧ୍ୟ ଅନେକଙ୍କ ମନରେ ସନ୍ଦେହ ରହିଛି। କେତେକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା କେନ୍ଦ୍ରୀୟ ନେତା ନବୀନଙ୍କ ସହିତ ଆଲୋଚନା କରିବାକୁ ଚାହିଁନାହାନ୍ତି। ବାଟ ନ ପାଇ କୁଆଡେ ନବୀନ ୪ର୍ଥ ଆସନ ଲାଗି କଂଗ୍ରେସ ଏବଂ ସିପିଆଇ(ଏମ୍) ସହିତ ମିଳିତ ପ୍ରାର୍ଥୀ ଦେଇଛନ୍ତି। ୪ର୍ଥ ଆସନ ଲାଗି ସଂଖ୍ୟା ନ ଥାଇ ମଧ୍ୟ ଶାସକ ଦଳର ପରାଜିତ ବିଧାୟକ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭାଜପା ବିଧିବଦ୍ଧ ସମର୍ଥନ ଦେଇ ସ୍ବାଧୀନ ଠିଆ କରାଇଛି। ଏଥିରୁ ବୁଝିବାକୁ ହେବ, ଭାଜପା କେବଳ ନବୀନଙ୍କୁ ଛାଡି ନାହିଁ ବରଂ ବିଜେଡି ଓ କଂଗ୍ରେସକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି।
ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରଥମେ ୪ ରାଜ୍ୟ ସଭା ଆସନ ଲାଗି ଦଳର କୋର୍ କମିଟି ବୈଠକରେ ସବୁକିଛି ଆଲୋଚନା ହୋଇଥିଲା। ସେହି ସମୟରେ ରାଜ୍ୟର କେତେଜଣ ଭାଜପା ନେତା ନବୀନଙ୍କୁ ସାଙ୍ଗରେ ନେଇ ୪ର୍ଥ ଆସନରେ ପ୍ରାର୍ଥୀ ଦେବାକୁ ପ୍ରସ୍ତାବ ରଖିଥିଲେ। ହେଲେ କେନ୍ଦ୍ର ନେତୃତ୍ୱଙ୍କ ପାଖରେ ଏହି କଥା ପହଞ୍ଚିବା ପରେ ଆଜିର ରାଜନୀତିରେ ନବୀନଙ୍କ କୌଣସି ପ୍ରୟୋଜନ ନାହିଁ ବୋଲି ରାଜ୍ୟ ଭାଜପା ନେତୃତ୍ୱଙ୍କୁ ସ୍ପଷ୍ଟ ଜଣାଇ ଦେଇଥିଲେ। କେନ୍ଦ୍ର ନେତୃତ୍ୱଙ୍କ ପକ୍ଷରୁ ପ୍ରଥମେ କୁହାଯାଇଥିଲା, ଯେତିକି ଆସନ ଜିତିବାକୁ ହେଉଛି ସେହି ଅନୁଯାୟୀ ପ୍ରାର୍ଥୀ ଦିଆଯାଉ। ପରବର୍ତ୍ତୀ ସମୟରେ ବଳକା ଭୋଟ୍କୁ ନେଇ ଦିଲ୍ଲୀପଙ୍କୁ ସମର୍ଥନ ଦେବା ପାଇଁ ରାଜ୍ୟ ଭାଜପା ନେତୃତ୍ୱ ନିଷ୍ପତ୍ତି ନେଲେ। କେନ୍ଦ୍ର ନେତୃତ୍ୱଙ୍କ କହିବା କଥା ଆମକୁ ନବୀନଙ୍କ ସହିତ ଯାଇ କିଛି ଲାଭ ନାହିଁ। ବିଜେଡି ଯାହାକୁ ପ୍ରାର୍ଥୀ କରୁଛି କରୁ। ସୁଜିତ୍ କୁମାରଙ୍କୁ ପ୍ରାର୍ଥୀ କରି ରାଜ୍ୟର ବିଜେଡି ନେତାମାନଙ୍କୁ ପରୋକ୍ଷରେ ଜଣାଗଲା, ଯିଏ ସେହି ଦଳ ଛାଡି ଭାଜପାରେ ମିଶିବେ ସେମାନଙ୍କ ପାଇଁ ଏଠାରେ ସୁଯୋଗ ରହିଛି। ପରବର୍ତ୍ତୀ ସମୟରେ ଯଦି ବିଜେଡି ରାଜ୍ୟ ସଭା ସଦସ୍ୟମାନଙ୍କ ମଧ୍ୟରୁ କେହି ଭାଜପାରେ ଯୋଗ ଦିଅନ୍ତି, ତେବେ ସେମାନଙ୍କୁ ଉପନିର୍ବାଚନ କରି ମମତା ମହନ୍ତ ଏବଂ ସୁଜିତ କୁମାରଙ୍କ ଭଳି ସଂଖ୍ୟା ବଳରେ ସୁଯୋଗ ଦିଆଯାଇପାରିବ। ତେଣୁ ବିଜେଡି ସହିତ ରହି ଏହା କରିବା ଏତେଟା ସହଜ ହେବନାହିଁ। ଯେଉଁଥିଲାଗି ନବୀନଙ୍କ ସହିତ ରହିବାକୁ କେନ୍ଦ୍ର ଭାଜପା ଚାହିଁ ନ ଥିବା ସେ କହିଛନ୍ତି।
ନବୀନ ଯେତେବେଳେ କମନ୍ ପ୍ରାର୍ଥୀ ଭାବେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କଲେ, ଏହାପରେ ତାଙ୍କ ଦଳର ତୃଣମୂଳସ୍ତରର କର୍ମୀମାନେ ଖୁସି ହୋଇଯାଇଥିବା ବିରୋଧୀ ଦଳର ବହୁ ବିଧାୟକ ଯୁକ୍ତି ରଖୁଛନ୍ତି। ସେମାନଙ୍କ କହିବା କଥା, ରାଜ୍ୟରେ ବିଜେଡି ଏବଂ ଭାଜପା ଗୋଟିଏ ବୋଲି ଯେଉଁ ଖବର ତଳସ୍ତର ପର୍ଯ୍ୟନ୍ତ ଚାଲିଯିବା କାରଣରୁ କର୍ମୀ ମହଲରେ ଅସନ୍ତୋଷ ବଢ଼ିଥିଲା। ଶାସକ ଦଳ ସହିତ ଯିବା ପରିବର୍ତ୍ତେ କଂଗ୍ରେସ ସହ ମିଶି କମନ୍ ପ୍ରାର୍ଥୀ ଦେବାପରେ କର୍ମୀଙ୍କ ପାଖକୁ ଗୋଟିଏ ବାର୍ତ୍ତା ଗଲା ଭାଜପା ଆଉ ବିଜେଡି ଭିତିରି ବୁଝାମଣାର ଅନ୍ତ ଘଟିଲା।