କାଠମାଣ୍ଡୁ,୯।୯: ନେପାଳରେ ହିଂସାତ୍ମକ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀଙ୍କ ସହ ରାଷ୍ଟ୍ରପତି ଇସ୍ତଫା ଦେଇସାରିଛନ୍ତି। ଏହାକୁ ନେଇ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ ଚର୍ଚ୍ଚାର ପରିସରକୁ ଆସିଛି ‘ଜେନ୍ Z’, ଯାହାଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ବିକ୍ଷୋଭ କରାଯାଉଛି। ନେପାଳ ସରକାରଙ୍କ ଦ୍ୱାରା ହଠାତ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଟକଣା ଲଗାଯିବା ପରେ ହଜାର ହଜାର ବିଦ୍ରୋହକାରୀ ରାସ୍ତାକୁ ଓହ୍ଲାଇଥିଲେ। ଏହି ଆନ୍ଦୋଳନରେ ଅଧିକାଂଶ ଅଂଶଗ୍ରହଣକାରୀ ‘ଜେନ୍ Z’ ଜେନେରେସନର ଯୁବକ ଯୁବତୀ। ଆସନ୍ତୁ ଜାଣିବା ଏହି ‘ଜେନ୍ Z’ କିଏ ଏବଂ କାହିଁକି ଏମାନଙ୍କୁ ନେଇ ଚର୍ଚ୍ଚା ହେଉଛି?
‘ଜେନ୍ Z’ କିଏ?
ଜେନ Z ବା ଜେନେରେସନ ଜି ହେଉଛନ୍ତି ୧୯୯୭ ରୁ ୨୦୧୨ ମଧ୍ୟରେ ଜନ୍ମ ହୋଇଥିବା ଯୁବପିଢ଼ି, ଅର୍ଥାତ ୧୩ ରୁ ୨୮ ବର୍ଷ ବୟସର ଯୁବକ-ଯୁବତୀ। ଏମାନେ ଟେକ୍ନୋଲୋଜି, ଇଣ୍ଟରନେଟ, ସୋସିଆଲ ମିଡିଆ ଏବଂ ଡିଜିଟାଲ ଯୁଗ ସହିତ ବଢ଼ିଛନ୍ତି। ଏମାନଙ୍କୁ ଡିଜିଟାଲ ନେଟିଭ୍ସ ମଧ୍ୟ କୁହାଯାଏ, କାରଣ ଏମାନେ ଟେକ୍ନୋଲୋଜିରେ ଘେରି ରହିଛନ୍ତି ଏବଂ ଏହା ମାଧ୍ୟମରେ ସାରା ବିଶ୍ୱ ସହ ଯୋଡ଼ି ହୋଇ ରହିଥାନ୍ତି।
କାହିଁକି ଚର୍ଚ୍ଚାରେ ଜେନ Z?
ଏହି ଯୁବପିଢ଼ି ସ୍ମାର୍ଟଫୋନ, ଲାପଟପ୍ ଏବଂ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରନ୍ତି। ଏମାନେ ନୂଆ ନୂଆ ଜିନିଷ ଶିଖିବା ଓ ଅନ୍ୟମାନଙ୍କ ସହ ଶେୟାର କରିବାକୁ ଭଲ ପାଆନ୍ତି। ଏମାନେ କେବଳ ନିଜ ପାଇଁ ନୁହେଁ, ପରିବେଶ, ସମାନତା, ଲିଙ୍ଗ ଅଧିକାର ଏବଂ ଜଳବାୟୁ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ସଚେତନ ରହିଥାନ୍ତି। ଏମାନେ ନିଜର ମତାମତ ଖୋଲାଖୋଲି ପ୍ରକାଶ କରନ୍ତି ଏବଂ କାହାକୁ ଚ୍ୟାଲେଞ୍ଜ କରିବାକୁ ଡରନ୍ତି ନାହିଁ। ପରିବର୍ତ୍ତନକୁ ଏମାନେ ବେଶ ପସନ୍ଦ କରନ୍ତି ଏବଂ କୌଣସି ଭେଦଭାବ ନକରି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖନ୍ତି।
ନେପାଳରେ ଆନ୍ଦୋଳନର ଆରମ୍ଭ:
ନେପାଳ ସରକାରଙ୍କ ସୋସିଆଲ ମିଡିଆ ଉପରେ କଟକଣା ଲଗାଇବା ନିଷ୍ପତ୍ତି ‘ଜେନ୍ Z’ପାଇଁ ଏକ ବଡ଼ ଝଟକା ଥିଲା। ସୋସିଆଲ ମିଡିଆ ମାଧ୍ୟମରେ ଏମାନେ ନିଜର ମତ ପ୍ରକାଶ କରନ୍ତି, ଅନ୍ୟମାନଙ୍କ ସହ ଯୋଡ଼ି ହୋଇ ରହନ୍ତି ଏବଂ ବିଶ୍ୱର ଖବର ଉପରେ ନଜର ରଖନ୍ତି। ଏଣୁ ସୋସିଆଲ ମିଡିଆ ଉପରେ କଟକଣା ଏମାନଙ୍କ ସ୍ବାଧୀନତା ଛଡ଼ାଇ ନେବା ସହ ସମାନ।
ରାସ୍ତାରେ ‘ଜେନ୍ Z’ର ହଙ୍ଗାମା:
ସୋସିଆଲ ମିଡିଆ ଉପରେ କଟକଣା ଖବର ଶୁଣି ‘ଜେନ୍ Z’ ଯୁବକ-ଯୁବତୀ ଏକତ୍ରିତ ହୋଇ ସରକାରଙ୍କ ଏହି ନିଷ୍ପତ୍ତିକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେମାନେ ରାସ୍ତାକୁ ଓହ୍ଲାଇ ଏହାକୁ ଏକ ବଡ଼ ଆନ୍ଦୋଳନରେ ପରିଣତ କରିଛନ୍ତି। ଏହି ଆନ୍ଦୋଳନରେ ଦେଶର ବିଭିନ୍ନ ସ୍ଥାନରୁ ଯୁବପିଢ଼ି ସାମିଲ ହୋଇଛନ୍ତି। ଏମାନେ ଦୁର୍ନୀତି ବିରୁଦ୍ଧରେ, ସ୍ବାଧୀନତାର ସୁରକ୍ଷା ପାଇଁ ଏବଂ ସ୍ବଚ୍ଛତା ଦାବି କରୁଛନ୍ତି। ଏହି ସଂଘର୍ଷ ଦର୍ଶାଉଛି ଯେ ଜେନ ଜି କେବଳ ସୋସିଆଲ ମିଡିଆ ବ୍ୟବହାର କରିବାରେ ନୁହେଁ, ଆବଶ୍ୟକ ପଡ଼ିବାରେ ନିଜ ଅଧିକାର ପାଇଁ ଲଢ଼ିବାରେ ମଧ୍ୟ ସକ୍ଷମ।


