ମା’ ହେଲା ଧଳାବାଘୁଣୀ ମୌସୁମୀ, ଦୁଇ ଛୁଆକୁ ଦେଲା ଜନ୍ମ, ହୋଇପାରିନି ଲିଙ୍ଗ ନିର୍ଣ୍ଣୟ

ବାରଙ୍ଗ,୮ା୬(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଶନିବାର ରାତିରେ ଦୁଇଟି ପର୍ଯ୍ୟାୟରେ ୨ଟି ଛୁଆକୁ ଜନ୍ମ ଦେଇଛି ଧଳା ବାଘୁଣୀ ମୌସୁମୀ। ପ୍ରଥମ ଛୁଆ ଶନିବାର ରାତି ୯:୧୫ ଏବଂ ଦିତୀୟ ଛୁଆ ରାତି ୧୧:୦୩ ସମୟରେ ଏନ୍‌କ୍ଲୋଜର ୨୮-ବି’ରେ ଜନ୍ମ ଦେଇଛି। ଜନ୍ମିତ ଛୁଆ ମଧ୍ୟରୁ ଗୋଟିଏ ଛୁଆ ସାଧାରଣ ରଙ୍ଗର ଏବଂ ଅନ୍ୟଟି ଧଳାରଙ୍ଗର ବୋଲି ଜଣାପଡିଛି। ମା’ ସହିତ ଥିବାରୁ ଜନ୍ମିତ ଛୁଆମାନଙ୍କ ଲିଙ୍ଗ ନିର୍ଣ୍ଣୟ ହୋଇପାରିନାହିଁ। ମା’ ଛୁଆମାନଙ୍କର ଯତ୍ନ ନେଇଥିବାର ଜଣାପଡ଼ିଛି।

୨୭ ଏବଂ ୨୮ ଫେବୃଆରୀ ୨୦୨୫ରେ ମୌସୁମୀ ଏବଂ ସାଧାରଣ ରଙ୍ଗର ବାଘ ରାଜେଶଙ୍କ ମଧ୍ୟରେ ସଫଳ ମିଳନ ପରେ ମୌସୁମୀ ଦ୍ୱିତୀୟ ଥର ପାଇଁ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିଲା। ଉଭୟ ପିତାମାତା ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲେ। ମୌସୁମୀ ୫ ଅଗଷ୍ଟ ୨୦୧୬ରେ ମନୀଷ ଏବଂ ସ୍ନେହାଙ୍କ ଔରସରେ ଏବଂ ରାଜେଶ ୨୨ ସେପ୍ଟେମ୍ବର ୨୦୧୮ରେ ରୋଶନ ଏବଂ ବିଜୟାଙ୍କ ଔରସରେ ଜନ୍ମ ଗ୍ରହଣ କରିଥିଲେ। ଏହି ଛୁଆ ଜନ୍ମ ପରେ ନନ୍ଦନକାନନର ବାଘ ସଂଖ୍ୟା ବୃଦ୍ଧି ପାଇ ୨୯ରେ ପହଞ୍ଚିଛି ସେଥି ମଧ୍ୟରେ ୧୭ ପୁରୁଷ, ୧୦ ମାଈ ଏବଂ ୨ ଶାବକ ଥିବାର ଜଣାପଡ଼ିଛି। ଯେଉଁଥିରେ ୧୯ ଟି ସାଧାରଣ ରଙ୍ଗର ବାଘ, ୬ଟି ଧଳା ବାଘ ଏବଂ ୪ ଟି ମେଲାନିଷ୍ଟିକ୍‌ ବାଘ ଅଛନ୍ତି।

Share