Categories: Uncategorized

ଛଦ୍ମ ଭିକାରି

ଓଡ଼ିଶା ଏକ କୃଷିଭିତ୍ତିକ ରାଜ୍ୟ। ସମୟ ଥିଲା, କୃଷିଜୀବୀମାନେ ଥିଲେ ଏ ଦେଶର ପୃଷ୍ଠପୋଷକ। କୃଷକଟି ବିଲରେ ଖଟି ହିଡ଼ମାଟି ହିଡ଼ରେ ଲଦି ଯାହା ଅମଳ କରୁଥିଲା, ସେଥିରେ ଯେନତେନ ପ୍ରକାରେ ଚଳିଯାଉଥିଲା। ବର୍ଷତମାମ କୃଷି କର୍ମରେ ଲିପ୍ତ ରହି ମଧ୍ୟ ଅଭାବ ମେଣ୍ଟୁ ନ ଥିଲା। ଆବଶ୍ୟକସ୍ଥଳେ ଜମିଦାର, ସାହୁକାର ଓ ମହାଜନଠାରୁ ଋଣ କରୁଥିଲା। ମୂଳକଥା ଛାଡ଼ ସୁଧ ଗଣ୍ଡାକ ମଧ୍ୟ ପଇଠ କରିବାରେ ସେ ଥିଲା ଅକ୍ଷମ। ମହାଜନ ଚକ୍ରବୃଦ୍ଧି ସୁଧ ଆଦାୟ କରି କୁବେର ପାଲଟୁଥିବା ବେଳେ ବିଚାରା ଚାଷୀଟି ସର୍ବସ୍ବାନ୍ତ ହେଉଥିଲା। ତା’ ସହ ମହାଜନ ଓ ଜମିଦାରଙ୍କର ଅଜବ ହିସାବ ଥିଲା କୃଷକର ଦାରିଦ୍ର୍ୟର ଅନ୍ୟତମ କାରଣ। ଉଦାହରଣ ସ୍ବରୂପ ଜମିଦାର ଶହେଟଙ୍କା ଦେଇ କହୁଥିଲା- ‘ମୁଁ ଦେଲି ଶହେ, ତୁ ନେଲୁ ଶହେ’। ସମୁଦାୟ ହେଲା ଦୁଇଶହ। ଚାଲିଲା ଦୁଇଶହ ଟଙ୍କାର ହିସାବ। ବିଚାରା କୃଷକ ସେ ହିସାବ ବୁଝିପାରୁ ନ ଥିଲା କିମ୍ବା ବୁଝିଲେ ମଧ୍ୟ ନିରୁପାୟ ଭାବେ ନୀରବ ରହୁଥିଲା।
ଶେଷରେ ଜମିବାଡ଼ି, ଏପରିକି ଘରଡିହ ଖଣ୍ଡକ ହାତଛଡ଼ା ହେଉଥିଲା। ଜମିଦାରଙ୍କ କ୍ଷେତରେ ଖଟି ଦୁଃଖରେ ଚଳୁଥିଲା। କବି ସଚ୍ଚି ରାଉତରାୟ ତାଙ୍କର ପ୍ରସିଦ୍ଧ କବିତା ‘ଛୋଟ ମୋର ଗାଅଁା ଟି’ରେ ଏହାକୁ ସୁନ୍ଦର ଭାବେ ପରିବେଷଣ କରିଛନ୍ତି:-
ପ୍ରତାପଶାଳୀ ସାମନ୍ତରାୟ-
ଗଁାରେ କଲେ ଏମନ୍ତରାୟ
ଦେଏଣାଭାରେ ସକଳେ ହାୟ-
ରେଙ୍ଗୁନ୍‌ ଭୂଇଁ ଧାଆନ୍ତି
ଛୋଟ ମୋର ଗାଆଁ ଟି ାା
କୃଷକଟି ନିଃସ୍ବ ହେଲା ପରେ ବାଧ୍ୟ ହୋଇ ପେଟ ପୋଷିବା ପାଇଁ ବିଦେଶ ପଳାଉଥିଲା। ସେ ସମୟରେ ମଣିଷ ଏତେ କଷ୍ଟରେ ଥାଇ ସୁଦ୍ଧା ଅଭାବ ପାଇଁ ସ୍ବଭାବ ହରାଉ ନ ଥିଲା। ଚୋରି କରୁ ନ ଥିଲା କି ଭିକ ମାଗୁ ନ ଥିଲା। ଭିକ୍ଷାବୃତ୍ତିକୁ ମର୍ଯ୍ୟାଦାହୀନ, ଅସମ୍ମାନଜନକ ଓ ଘୃଣ୍ୟ ବୋଲି ବିବେଚନା କରୁଥିଲା। ମାଗି ଖାଇବା ଅପେକ୍ଷା ଲାଗି ଖାଇବାକୁ , ଲୁଟି ଖାଇବା ଅପେକ୍ଷା ଖଟି ଖାଇବାକୁ ସେ ପସନ୍ଦ କରୁଥିଲା। କିନ୍ତୁ ସମୟର ବିଘଟନ ଓ ପାରିବେଶିକ ଅସନ୍ତୁଳନ ପ୍ରଭାବରୁ କ୍ରମେ ଏ ଜାତି ତା’ ମହାନ୍‌ ସ୍ବାଭିମାନଭରା ପରମ୍ପରାରୁ ବିଚ୍ୟୁତ ହେଲା। ଲୁଟିବା, ଠକିବା ଏପରିକି ଛଦ୍ମ ଭାବରେ ଭିକ୍ଷାବୃତ୍ତିକୁ ଆଦରି ନେବାରେ କୁଣ୍ଠାବୋଧ କଲାନାହିଁ। କେବଳ କିଛି ଭିନ୍ନକ୍ଷମ, ରୋଗଗ୍ରସ୍ତ ବ୍ୟକ୍ତି ଭିକ୍ଷା କରୁଥିଲେ, ଯାହାଙ୍କ ପ୍ରତି ସମାଜ ସମ୍ବେଦନଶୀଳ ଥିଲା। ଶାସ୍ତ୍ର କହେ –
ବାଣିଜ୍ୟେ ବସତେ ଲକ୍ଷ୍ମୀ ତଦର୍ଦ୍ଧଂ କୃଷି କର୍ମଣି
ତଦର୍ଦ୍ଧଂ ରାଜସେବୟାଂ ଭିକ୍ଷାଂ ନୈବ ଚ ନୈବ ଚ।
ଅର୍ଥାତ୍‌ ବାଣିଜ୍ୟ ବ୍ୟବସାୟରେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ତା’ର ଅର୍ଦ୍ଧେକ କୃଷି କର୍ମରେ। ତା’ର ଅର୍ଦ୍ଧେକ ରାଜସେବାରେ। କିନ୍ତୁ ଭିକ୍ଷା ଯାଚନାରେ ଆଦୌ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ନାହିଁ। ହେଲେ ସମ୍ପ୍ରତି କେତେକ ସୁସ୍ଥ ସବଳ ବ୍ୟକ୍ତି ଭିକ୍ଷାବୃତ୍ତିକୁ ଆପଣେଇଛନ୍ତି। ୨୦୧୧ ଜନଗଣନା ରିପୋର୍ଟ ଅନୁସାରେ, ଭାରତରେ ମୋଟ ଭିକାରି ସଂଖ୍ୟା ଥିଲା ୪ ଲକ୍ଷ ୧୩ ହଜାର ୬୭୦। ସେହି ରିପୋର୍ଟ କହେ, ଓଡ଼ିଶାରେ ଭିକାରି ସଂଖ୍ୟା ଥିଲା ୬ ହଜାର ୯୭୦, ଯାହା ୨୦୨୧ରେ ଓଡ଼ିଶା ବିଧାନସଭାରେ ସ୍ପଷ୍ଟ ହୋଇଥିଲା। ସେହି ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ଓ ତା’ ତଳକୁ ଉତ୍ତରପ୍ରଦେଶରେ ଦ୍ୱିତୀୟ ସର୍ବାଧିକ ଭିକାରି ଥିଲେ। ୨୦୨୧ ପରଠାରୁ ଭିକାରିଙ୍କ ଥଇଥାନ ଓ ସେମାନଙ୍କ ଆର୍ଥିକ ବିକାଶ ଲାଗି ସରକାରୀ ଯୋଜନାମାନ ହାତକୁ ନିଆଗଲା। ୨୦୨୩ରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ ଭିକାରିମୁକ୍ତ ଅଭିଯାନ ଆରମ୍ଭ କରି ଆଂଶିକ ସଫଳତା ପ୍ରାପ୍ତ ହୋଇଥିଲା। ୨୦୨୪ରେ କେନ୍ଦ୍ର ସରକାର (ନ୍ୟାୟ ଓ ସଶକ୍ତୀକରଣ ବିଭାଗ) ଦେଶର କେତେକ ସହରକୁ ୨୦୨୬ ସୁଦ୍ଧା ଭିକାରିମୁକ୍ତ କରିବାର ସଂକଳ୍ପ ନେଲେ। ଏଥିରେ ଅଯୋଧ୍ୟା, ଅମୃତସର, ଶିମ୍‌ଲା, ଇନ୍ଦୋର ପ୍ରଭୃତି ୩୦ଟି ସହର ଅନ୍ତର୍ଭୁକ୍ତ ହୋଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ଜିଲା ପ୍ରଶାସନ ଆଉ ପାଦେ ଆଗକୁ ଯାଇ ଯେଉଁମାନେ ଭିକାରିଙ୍କୁ ଭିକ ଦେବେ, ସେମାନଙ୍କ ବିରୋଧରେ ଏତଲା ଦାଏର କରାଯିବ ବୋଲି ଘୋଷଣା କରିଛି।
ଭିକାରିମୁକ୍ତ ଅଭିଯାନ ଏକ କ୍ଷଣସ୍ଥାୟୀ ଅଭିଯାନ ନୁହେଁ। ଏହା ଦୀର୍ଘସ୍ଥାୟୀ। କାରଣ କେବଳ କ୍ଷୁଧାତୁର ବ୍ୟକ୍ତି ଭିକ୍ଷା ଯାଚନା କରୁଥିଲେ ସେମାନେ ହୁଏତ ସରକାରୀ ଯୋଜନା ବଳରେ ଭିକ୍ଷାବୃତ୍ତି ତ୍ୟାଗ କରିପାରନ୍ତି। ମାତ୍ର ଅଭ୍ୟାସବଶତଃ ଅଧିକ ଧନୀ ହେବା ଲକ୍ଷ୍ୟରେ ଯେଉଁମାନେ ଛଳନା ମାଧ୍ୟମରେ ଭିକ୍ଷାବୃତ୍ତି କରନ୍ତି, ସେମାନଙ୍କ ପଥରୋଧ କରିବା ଏକ ଦୁରୂହ ବ୍ୟାପାର। ଭାରତବର୍ଷରେ କୋଟିପତି ମଧ୍ୟ ଭିକ୍ଷା ଯାଚନା କରନ୍ତି। ମୁମ୍ବାଇ ସହରରେ ବାସ କରନ୍ତି ‘ଭରତ ଜୈନ’। ତାଙ୍କ ନିକଟରେ ଅଛି ଅମାପ ସମ୍ପତ୍ତି। ମୁମ୍ବାଇ ଭଳି ସହରରେ ତାଙ୍କର ଅଛି ଦୁଇଟି ମୂଲ୍ୟବାନ୍‌ ପ୍ଲଟ, ଦୁଇଟି ଅତ୍ୟାଧୁନିକତାରେ ବିମଣ୍ଡିତ ଫ୍ଲାଟ୍‌ ଓ ମାର୍କେଟ କମ୍ପ୍ଲେକ୍ସରେ ୩ଟି ଘର, ଯାହା ବ୍ୟବସାୟ ପ୍ରତିଷ୍ଠାନ ହିସାବରେ ଭଡ଼ାସୂତ୍ରରେ ଦିଆଯାଇଛି। ତାଙ୍କର ନିଜର ରହିଛି ଏକ ସୁଦୃଶ୍ୟ ଅଟ୍ଟାଳିକା, ଯେଉଁଥିରେ ତାଙ୍କ ପରିବାର ସଦସ୍ୟମାନେ ରହନ୍ତି। ରାତି ପାହିବା ଆଗରୁ ସେ ନିଜକୁ ଭିକାରି ବେଶରେ ସଜାଇ ରାଜରାସ୍ତା ଓ ଗଳିକନ୍ଦିରେ ଭିକ୍ଷା ଯାଚନା କରନ୍ତି। ତାଙ୍କର ଭିକ୍ଷାଲବ୍ଧ ମାସିକ ଆୟ ୮୦ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ। ନିଜ ପରିବାର ପାଇଁ ମଧ୍ୟ ଦୈନିକ ଖାଇବା ଗଣ୍ଡାକ ସେ ଭିକ୍ଷାସୂତ୍ରରେ ପ୍ରାପ୍ତ ହୁଅନ୍ତି। ତାଙ୍କ ପରିବାର ସମ୍ବନ୍ଧରେ ତାଙ୍କ ପଡ଼ିଶାମାନେ ମଧ୍ୟ ଅଜ୍ଞ। ସାମାନ୍ୟ ଅସାବଧାନତାରୁ ତାଙ୍କ ପରିଚୟ ଜଣାପଡ଼ିବା ପରେ ପ୍ରାୟ ଛ’ ମାସ ତଳେ ସେ ଗଣମାଧ୍ୟମ ନଜରକୁ ଆସିଥିଲେ। ସେତେବେଳେ ଭାରତର ସମସ୍ତ ପ୍ରମୁଖ ଖବରକାଗଜରେ ଏହା ପ୍ରକାଶିତ ହୋଇ ଜନମାନସକୁ ଆନ୍ଦୋଳିତ କରିଥିଲା।
ଭିକ୍ଷାବୃତ୍ତିରେ ପୂର୍ଣ୍ଣଚ୍ଛେଦ ଆଣିବାକୁ ଚିନ୍ତା କରୁଥିବା ସମୟରେ ଦେଶର ସମସ୍ତ ରାଜନୈତିକ ଦଳ ଭିକ୍ଷାବୃତ୍ତିକୁ ପରୋକ୍ଷ ପ୍ରୋତ୍ସାହନ ଦେଇ ଆସୁଥିବା ପରି ମନେହୁଏ। ରାଜନୀତିରେ ମାଗଣା ସାମଗ୍ରୀ ଓ ଅର୍ଥଦାନ ଦେବାରେ ପରସ୍ପର ମଧ୍ୟରେ ପ୍ରତିଯୋଗିତାରେ ଲିପ୍ତ ରହୁଛନ୍ତି। ରିହାତି ପ୍ରଦାନ, ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ଓ ନାନାଦି ଦ୍ରବ୍ୟ ଦାନ, ଋଣଛାଡ଼ ଭଳି ପ୍ରୋତ୍ସାହନ ପରୋକ୍ଷରେ କର୍ମକ୍ଷମମାନଙ୍କୁ ପ୍ରଭାବିତ କରୁଛି। ସାଧାରଣ ଯୁବବର୍ଗ କ୍ରମେ କର୍ମବିମୁଖତାକୁ ଆପଣେଇ ନେଲେଣି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରଣିଧାନଯୋଗ୍ୟ। ଜଷ୍ଟିସ୍‌ ବି. ଆର୍‌. ଗଭାଇ ଓ ଅଗଷ୍ଟାଇ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଉଦ୍‌ବେଗଜନକ ମନ୍ତବ୍ୟ ଦେଇଛନ୍ତି ଯେ, ସରକାରଙ୍କର ବିଭିନ୍ନ ମାଗଣା ଯୋଜନା ଦ୍ୱାରା ଦେଶରେ ଏକ ପରାଙ୍ଗପୁଷ୍ଟ ଗୋଷ୍ଠୀ ସୃଷ୍ଟି ହୋଇଛନ୍ତି। ବିଚାରପତିଙ୍କ ମତହେଲା, କୃଷିକର୍ମ ପାଇଁ ଆଉ ଶ୍ରମିକ ମିଳୁନାହାନ୍ତି। ଅନ୍ୟକୁ ଦେଖି ଚାଷୀ ପରିବାର ପିଲା ବିଲକୁ ଗଡ଼ୁନାହାନ୍ତି। ଥୋକେ ସରକାରୀ ଓ ବିଭିନ୍ନ କମ୍ପାନୀ ଚାକିରି କରି ସହରାଞ୍ଚଳକୁ ଚାଲିଯାଇ ନିଜ ଶସ୍ୟକ୍ଷେତକୁ ଅଣଦେଖା କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗତ ଫେବୃୟାରୀରେ ଉଦ୍‌ବେଗ ପ୍ରକାଶ କରିଛି ଯେ, ରାଜ୍ୟଗୁଡ଼ିକ ନିଜସ୍ବ ମାଗଣା ଆର୍ଥିକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଇ ଦେଶ ଉପରକୁ ବୃହତ୍‌ ଆର୍ଥିକ ସଙ୍କଟକୁ ଟାଣି ଆଣୁଛନ୍ତି। ପରିସ୍ଥିତି ଯାହା ହେଲାଣି, ଦେଶର ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ମାଗଣା ପ୍ରଦାନ ପ୍ରତିଶ୍ରୁତିରେ କେବେ କ୍ଷାନ୍ତ ହୋଇପାରିବେ ନାହିଁ। ଫଳରେ ଦେଶ ଆଗକୁ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛି। ଭିକ୍ଷାବୃତ୍ତିକୁ ନିଷେଧ କରିବାକୁ ଅଙ୍ଗୀକାରବଦ୍ଧ ସରକାରଗୁଡ଼ିକ ପରୋକ୍ଷ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ କରୁଛନ୍ତି। ଦେଶକୁ ଶ୍ରମକାତର ଛଦ୍ମ ଭିକାରିଙ୍କ ପ୍ରଭାବରୁ ମୁକ୍ତି ମିଳୁ। ଏ ତ ଭାତହାଣ୍ଡିରୁ ଗୋଟିଏ ଚିପିବା ପରି। ଦେଶର ବିଶେଷକରି ଓଡ଼ିଶାରେ ଯେଉଁ ସରକାରୀ ବାବୁମାନଙ୍କର କଳାଧନର ପର୍ଦ୍ଦାଫାଶ ହେଉଛି, ସେମାନେ ଜଣେ ଜଣେ କୋଟିପତି ଭିକାରି ନୁହନ୍ତି କି ? ଏହିମାନେ ଜଣେ ଜଣେ ଛଦ୍ମବେଶୀ ଭିକାରି ା

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦