ପାଟଣା,୧୩ା୬(ବୀରକିଶୋର ଦାଶ): ପାଓ୍ବାରଟିଲର ସାହାଯ୍ୟରେ ଶୁକ୍ରବାର ପୂର୍ବାହ୍ନରେ ବିଲରେ ହଳ କରିଥିବା ସମୟରେ ଅଘଟଣ ଘଟି ହଳ କରୁଥିବା ଯୁବକଙ୍କ ଡାହାଣ ଗୋଡ଼ରେ ଲଙ୍ଗଳ ଫାଳ ପଶି ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଧାନବେଣୀ ଗ୍ରାମରେ। ଗୁରୁତର ପାଓ୍ବାରଟିଲର ଚାଳକ ଜଣକ ହେଉଛନ୍ତି ପାଟଣା ବ୍ଲକ ନୂଆପଡ଼ା ତଳସାହିର ବିଦେଶୀ ନାଏକଙ୍କ ପୁଅ ବାଦଲ। ବାଦଲ ଆଜି ଧାନବେଣୀ ଗ୍ରାମର ଦେବାଶିଷ ମହାନ୍ତଙ୍କ ବିଲରେ ପାଓ୍ବାରଟିଲର ସାହାଯ୍ୟରେ ହଳ କରିଥିବା ସମୟରେ ଲଙ୍ଗଳରେ ଗୋଡ଼ ଫସି ଯାଇ ତାଙ୍କୁ କିଛି ବାଟ ଘୋଷାଡ଼ି ନେବା ସହ ଗୋଡ଼ରେ ଲଙ୍ଗଳ ଫାଳ ଫସି ରହିଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ବାଦଲଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


