ରାଜ୍ୟପାଳଙ୍କ ପାଣ୍ଠି ଯାଉଛି କୁଆଡ଼େ

ଭୁବନେଶ୍ୱର, ୧୨ା୧୨(ସୁନୀତ୍‌ ମିଶ୍ର):ଓଡ଼ିଶାର ନାଗରିକମାନେ ଜାଣି ନ ଥିବେ ରାଜ୍ୟପାଳଙ୍କ ପାଖରେ ମଧ୍ୟ ଅତ୍ୟଧିକ ଅର୍ଥ ପ୍ରଦାନର କ୍ଷମତା ରହିଥାଏ। ଉଲ୍ଲେଖଯୋଗ୍ୟ, ଏହି ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ ରାଜଭବନକୁ ଦିଆଯାଇଥାଏ ଅର୍ଥାତ୍‌ ଏହା ଓଡ଼ିଶାର କରଦାତାଙ୍କ ଅର୍ଥ। କିନ୍ତୁ ଏହି ଅର୍ଥ ସମ୍ପର୍କରେ କେହି କେବେ ଜନସାଧାରଣଙ୍କ ଜ୍ଞାତସାରକୁ ଆଣନ୍ତି ନାହିଁ। ଏପରିକି ଗଣମାଧ୍ୟମରେ ଏ ସମ୍ପର୍କରେ କେବେ ବି କୌଣସି ଉଲ୍ଲେଖ ହୋଇଥିବାର ମନେ ନ ଥିବ। ରାଜଭବନରେ ଏକ ଭିନ୍ନ ସଚିବାଳୟ ରହିଛି। ତାହା ସମ୍ପୂର୍ଣ୍ଣ ଭାବେ ଯିଏ ରାଜ୍ୟପାଳଙ୍କ ସଚିବ ରୁହନ୍ତି ତାଙ୍କ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ତା’ର ହିସାବନିକାଶ ଭଳି ସବୁ କାର୍ଯ୍ୟ ପାଇଁ ସେହି ସଚିବାଳୟର ଦାୟିତ୍ୱ ହୋଇଥିବା ସତ୍ତ୍ୱେ କେହି ତାଙ୍କୁ ପ୍ରଶ୍ନ କରିବାର ଅଧିକାର ନାହିଁ। କାରଣ ସେହି ପାଣ୍ଠିକୁ ରାଜ୍ୟ ସରକାର ଅଡିଟ୍‌ କରନ୍ତି ନାହିଁ।
ନିକଟରେ ଧରିତ୍ରୀ ପକ୍ଷରୁ ସୂଚନା ଅଧିକାର ଆଇନ(ଆର୍‌ଟିଆଇ) ମାଧ୍ୟମରେ ଗତ ୫ ବର୍ଷ(୨୦୧୮-୧୯ରୁ ୨୦୨୩-୨୪ ଆର୍ଥିକ ବର୍ଷ)ର ଓଡ଼ିଶା ରାଜ୍ୟପାଳଙ୍କ ଅନୁଦାନ ସମ୍ପର୍କିତ ତଥ୍ୟ ମଗାଯାଇଥିଲା। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅନେକ ଚାଞ୍ଚଲ୍ୟକର ତଥ୍ୟ ଏଥିରେ ଉଲ୍ଲେଖଥିବା ଦେଖାଯାଇଛି। ସେହି ସମୟରେ ନିକଟରେ ବିଦାୟ ନେଇଥିବା ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶା ରାଜ୍ୟପାଳ ଥିଲେ। ଗଣେଶୀ ଲାଲ୍‌ଙ୍କୁ ଅନେକ ସାଂସ୍କୃତିକ ଏବଂ ଅର୍ଦ୍ଧ ରାଜନୈତିକ ଅନୁଷ୍ଠାନ ଡାକି ତାଙ୍କ ଭାଷଣ ଶୁଣିବା ଲାଗି ଗଦଗଦ ହେଉଥିଲେ। ହେଲେ ଭିତିରି ତଥ୍ୟ ଜାଣିବା ପାଇଁ ସାଧାରଣ ଲୋକ ଅକ୍ଷମ ଥିବାରୁ ଅନେକ ବ୍ୟକ୍ତିଗତ କାର୍ଯ୍ୟ ରାଜ୍ୟପାଳଙ୍କ ପାଣ୍ଠି ମାଧ୍ୟମରେ କରି ଦିଆଯାଇପାରୁଥିଲା।
ପ୍ରଫେସର ଲାଲ୍‌ ୨୯ ମେ ୨୦୧୮ରୁ ୧୮ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ସାଢେ ୫ ବର୍ଷ ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଥିଲେ। ସେ ୧ ମାର୍ଚ୍ଚ ୧୯୪୧ରେ ହରିୟାଣାର ଶୀର୍ଷା ଜିଲାରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାରେ ସାଢେ ୫ ବର୍ଷ ରାଜ୍ୟପାଳ ଦାୟିତ୍ୱରେ ଥିବାବେଳେ ସେ ତାଙ୍କ ଜିଲା ଶୀର୍ଷାକୁ ବିପୁଳ ଆର୍ଥିକ ସହାୟତା ଯୋଗାଇଦେଇଛନ୍ତି। ସେ ଏକ ପ୍ରକାର ଓଡ଼ିଆଙ୍କ ଖର୍ଚ୍ଚରେ ହରିୟାଣାର ମଙ୍ଗଳ କରିଦେଇଯାଇଥିବାର ଚିତ୍ର ଆର୍‌ଟିଆଇ ବଳରେ ମିଳିଥିବା ତଥ୍ୟରୁ ଦେଖିବାକୁ ମିଳିଛି। ଆର୍‌ଟିଆଇରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାଢେ ୫ ବର୍ଷରେ ପ୍ରଫେସର ଲାଲ୍‌ ହରିୟାଣାକୁ ବିଭିନ୍ନ କାରଣ ଦର୍ଶାଇ ୩୧୯ଟି ଅନୁଦାନ ଦେଇଛନ୍ତି। ଏହି ସମସ୍ତ ଅନୁଦାନ ରାଶି ମିଶାଇବା ପରେ ଜଣାପଡ଼ିଛି କେବଳ ହରିୟାଣାକୁ ସେ ୬ କୋଟି ୫୦ ଲକ୍ଷ ୯୩ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହାବାଦ୍‌ ତାଙ୍କ ଅନୁଦାନ ତାଲିକା ଅନୁଯାୟୀ, ଅନ୍ୟ ରାଜ୍ୟ ଏବଂ ହରିୟାଣାର ଅନେକ ବ୍ୟକ୍ତିଙ୍କୁ ଆର୍ଥିକ ଏବଂ ବିଭିନ୍ନ କାମ ବାବଦ ସହାୟତା ଆକାରରେ ମୋଟ୍‌ ୧ କୋଟି ୧୧ ଲକ୍ଷ ୪୬ ହଜାର ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଇଷ୍ଟର୍ନ ମିଡିଆ ଲିମିଟେଡ୍‌ ଭଳି ଘରୋଇ ଅନୁଷ୍ଠାନକୁ ପ୍ରଫେସର ଲାଲ୍‌ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ନାଁରେ ବକ୍ତୃତା ପ୍ରତିଯୋଗିତା କରିବା ଲାଗି ୨୦୨୨-୨୩ ବର୍ଷରେ ମୋଟ୍‌ ୩୫ ଲକ୍ଷ ୨୨ ହଜାର ୩୬୯ ଟଙ୍କା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଏହା ଏକ ସମ୍ପୂର୍ଣ୍ଣ ଘରୋଇ ବ୍ୟବସାୟିକ କମ୍ପାନୀ, ସେଥିପାଇଁ କେଉଁ ରୂପରେ ଏହି ବିପୁଳ ଅର୍ଥ ଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ। ଯେତେଗୁଡିଏ ଅନୁଦାନ ରାଶି ସେ ତାଙ୍କ କାର୍ଯ୍ୟକାଳ ଭିତରେ ଦେଇଛନ୍ତି, ସେସବୁ ଭିତରୁ ରାଜ୍ୟପାଳଙ୍କଠାରୁ ସର୍ବାଧିକ ଅର୍ଥ ରାଶି ପାଇବାରେ ଇଷ୍ଟର୍ନ ମିଡିଆ ସବୁଠୁ ଆଗରେ ରହିଛି। ପ୍ରଥମ ପର୍ଯ୍ୟାୟରେ ଏହି ସଂସ୍ଥାକୁ ରାଜ୍ୟପାଳ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ନାଁରେ ୩୦ ଲକ୍ଷ ଟଙ୍କା ଦେଇଥିବା ବେଳେ ପୁଣି ଥରେ ସମାନ ଆର୍ଥିକ ବର୍ଷରେ ଅତିରିକ୍ତ ଭାବେ ସେହି କାର୍ଯ୍ୟକ୍ରମ ଲାଗି ୫ ଲକ୍ଷ ୨୨ ହଜାର ୩୬୯ ଟଙ୍କା ଦିଆଯାଇଛି।
କେବଳ ଏତିକି ନୁହେଁ , ଆର୍‌ଟିଆଇ ଦସ୍ତାବିଜ ଦେଖିବା ପରେ ଆହୁରି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ତଥ୍ୟ ଅନୁଯାୟୀ, ହରିୟାଣାର ଏପରି ଅନେକ ବ୍ୟକ୍ତି ତାଲିକାରେ ଅଛନ୍ତି ଯେଉଁମାନେ ପ୍ରଥମେ ନିଜ ମା, ବାପା କିମ୍ବା ସମ୍ପର୍କୀୟଙ୍କ ଶାରୀରିକ ଅସୁସ୍ଥତା ଦର୍ଶାଇ ଲାଲ୍‌ଙ୍କଠାରୁ ଅର୍ଥ ପାଇଛନ୍ତି। ପରବର୍ତ୍ତୀ ସମୟରେ ସେହି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷମାନେ କେତେବେଳେ ‘ଆର୍ଥିକ ସହାୟତା’ ତ ଆଉ କେତେବେଳେ ନିଜ ଜିଲାରେ ବିଭିନ୍ନ ଠିକାଦାରି କରିବା ନାଁରେ ବିଭିନ୍ନ ଆଳ ଦେଖାଇ ଲକ୍ଷାଧିକ ଟଙ୍କା ଓଡ଼ିଶାରୁ ପ୍ରଫେସର ଲାଲ୍‌ଙ୍କ ଜରିଆରେ ନେଇଛନ୍ତି। ଉଦାହରଣ ସ୍ବରୂପ, ହରିୟାଣା ଶୀର୍ଷା ଜିଲାର ଭାଟିଆ ଧର୍ମଶାଳା ଓ୍ବାଲି ଗଲିର ଘର ନମ୍ବର ୧୪/୫୬୦ରେ ରହୁଥିବା ଜିତ୍‌ ସିଂଙ୍କ ପୁଅ ମନଦୀପ ସିଂଙ୍କୁ ପ୍ରଫେସର ଲାଲ୍‌ ଏକାଧିକ ଥର ଟଙ୍କା ଦେଇଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ଅନାଜ ମଣ୍ଡି ଜନତା ଭବନ ରୋଡ୍‌ ସ୍ଥିତ ଶ୍ୟାମ ପାର୍କରେ ଥଣ୍ଡାପାଣି ଯୋଗାଣ ମେଶିନ ଲଗାଇବା ଲାଗି ମନଦୀପଙ୍କୁ ଦେଢଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି। ଏହାପରେ ମନଦୀପ ତାଙ୍କ ମା’ଙ୍କ ଚିକିତ୍ସା କରିବେ ବୋଲି ଦର୍ଶାଇ ଅନୁଦାନ ନେଲେ। ଏହାପରେ ତାଙ୍କୁ ୮ଟି ପାଣିଟାଙ୍କି ବସାଇବା ଲାଗି ବିଭିନ୍ନ ସମୟରେ ପ୍ରଫେସର ଲାଲ୍‌ ୧୪ ଲକ୍ଷ ୦୫ ହଜାର ଟଙ୍କାର ଅର୍ଥ ରାଶି ଯୋଗାଇ ଦେଇଛନ୍ତି। ସେହିଭଳି ହରିୟାଣା ଘିଙ୍ଗତାନିଆ ଗଁାର ଦୀନେଶ କୁମାରଙ୍କୁ ପ୍ରଥମେ ୨୦୨୧-୨୨ରେ ଗୋଟିଏ ପାଣିଟାଙ୍କି ବସାଇବା ଲାଗି ଦେଢଲକ୍ଷ ଟଙ୍କା, ୨୦୨୨-୨୩ରେ ଆର୍ଥିକ ସହାୟତା ହେଉଥିବା କହି ୫୦ ହଜାର, ଏହାପରେ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ପାଣିଟାଙ୍କି ବସାଇବା ଲାଗି ୬ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ୨୦୨୩-୨୪ ବର୍ଷରେ ଆର୍ଥିକ ସହାୟତା ବାବଦରେ ସେହି ଦିନେଶ କୁମାରଙ୍କୁ ଆଉ ଥରେ ୨୫ ହଜାର ଟଙ୍କା ପ୍ରଦାନ କରିଛନ୍ତି। କେବଳ ମନଦୀପ କି ଦୀନେଶ ନୁହନ୍ତି, ଏଭଳି ହରିୟାଣାର ଅନେକ ବ୍ୟକ୍ତି ରହିଛନ୍ତି ଯେଉଁମାନେ ସମାନ ଢଙ୍ଗରେ ପ୍ରଫେସର ଲାଲ୍‌ଙ୍କଠାରୁ ଲକ୍ଷାଧିକ ଟଙ୍କାର କାମ ପାଇ ଉପକୃତ ହୋଇଛନ୍ତି। ରାଜଭବନର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ପ୍ରଫେସର ଲାଲ୍‌ ରାଜ୍ୟପାଳ ଥିବା ସମୟରେ ତାଙ୍କ ସହ ବ୍ୟକ୍ତିଗତ ଭାବେ ଘନିଷ୍ଠ ଥିବା ଅନେକ ବ୍ୟକ୍ତି ଏବଂ ଅନୁଷ୍ଠାନକୁ ବିପୁଳ ଆର୍ଥିକ ସାହାଯ୍ୟ ଯୋଗାଇଦେଇ ଏବେ ହରିୟାଣା ଫେରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri