କେବେ ଘୁଞ୍ଚିବ କୋଟିଆ ଦୁଃଖ: ୭୮ ବର୍ଷ ପରେ ବି ଚିହ୍ନଟ ହୋଇନି ୩ ଭାଗ ରାଜସ୍ବ ଅଞ୍ଚଳ

ଭୁବନେଶ୍ୱର,୨୬ା୧(ରବିନାରାୟଣ ଜେନା):ଦେଶ ସ୍ବାଧୀନ ହେବାର ୭୮ ବର୍ଷ ବିତିଥିଲେ ହେଁ ଏବେ ବି କୋରାପୁଟ ଜିଲା କୋଟିଆ ଅଞ୍ଚଳର ୩ ଭାଗ ସୀମା ଚିହ୍ନଟ ହୋଇପାରିନାହିଁ। କୋଟିଆର ୨୮ ରାଜସ୍ବ ଗ୍ରାମ ମଧ୍ୟରୁ କତ୍ରାଗୁଡା, ଗୁମେଇପଦର, ତଳକାନ୍ତି, ଥୁରିଆ, ବଡ଼ବନ୍ଧ, ମାଥଲମ୍ବା ଓ ସୁଲିଆମରୀ ଭଳି ମାତ୍ର ୭ଟି ରାଜସ୍ବ ଗ୍ରାମର ଭୂମି ଚିହ୍ନଟ ହୋଇଛି। ହେଲେ ଅବଶିଷ୍ଟ ୨୧ଟି ରାଜସ୍ବ ଗ୍ରାମର ଭୂମି ଏବେ ବି ବିବାଦଘେରରେ ରହିଛି। ସୁପ୍ରିମକୋର୍ଟଙ୍କ ‘ସ୍ଥଗିତାଦେଶ’ ବଳବତ୍ତର ରହିଥିଲେ ହେଁ ଆନ୍ଧ୍ର ସରକାର ତାଙ୍କର ଦାଦାଗିରି ଜାରି ରଖିଛନ୍ତି। କେତେବେଳେ ଲୋକଙ୍କୁ ରାଶନକାର୍ଡଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରଲୋଭନ ଦେଖାଇ ନିଜଆଡ଼କୁ ଟାଣିନେଉଛନ୍ତି ତ ଆଉ କେତେବେଳେ ଜୋରଜବରଦସ୍ତ କୋଟିଆ ଭିତରେ ପଶି ଜବରଦଖଲ କରୁଛନ୍ତି। ଏଭଳି ଅନେକ ଘଟଣା କୋଟିଆ ଅଞ୍ଚଳରେ ଘଟୁଛି। କେତେବେଳେ ତାହା ଲୋକଲୋଚନକୁ ଆସୁଛି ତ ଆଉ କେତେବେଳେ ଲୁଚିରହୁଛି। ତେବେ କଥା କେବଳ ସୀମା ବିବାଦରେ ସୀମିତ ରହିନାହିଁ। କୋଟିଆର ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହେଉଥିବାବେଳେ ଆଉ କେତେକ ଅଞ୍ଚଳରେ ଜମିର ଉର୍ବରତା ଧୋଇହୋଇ ଟାଙ୍ଗରା ପାଲଟିଛି, ଯେଉଁଥିପାଇଁ ସ୍ଥାନୀୟ ଅଧିବାସୀ ଫସଲ କରି ଜୀବିକା ନିର୍ବାହ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ରାଜସ୍ବ ବିଭାଗ ପକ୍ଷରୁ ଜଣାଯାଇଛି।
ତଥ୍ୟ ଅନୁଯାୟୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିକଟରେ କୋଟିଆ ଅଞ୍ଚଳ ଗସ୍ତ କରିଥିଲେ। ସେଠାରେ କୋଟିଆବାସୀଙ୍କ କ’ଣସବୁ ସମସ୍ୟା ରହିଛି ତାହା ଅନୁଧ୍ୟାନ କରିଥିଲେ। ଏହାକୁ ନେଇ ସରକାରଙ୍କ ପକ୍ଷରୁ ୨୯୦ କୋଟି ଟଙ୍କାର ଏକ ‘କୋଟିଆ ବିକାଶ’ ନକ୍ସା ପ୍ରସ୍ତୁତ ହୋଇଛି। ତେବେ ସେଠାରେ ଏପର୍ଯ୍ୟନ୍ତ ୨୧ଟି ରାଜସ୍ବ ଗ୍ରାମର ଜମି ଚିହ୍ନଟ ହୋଇନାହିଁ, ଯେଉଁଠି କି ୯୭୯ ପରିବାରର ୪,୪୪୩ ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରେ ଅର୍ଜୁବାଲସାର ୧୬ ପରିବାରର ୭୯ ସଦସ୍ୟ ରହିଥିବାବେଳେ ଉପରସେମ୍ବିର ୩୮ ପରିବାରର ୧୬୧, କୋନାଦୋରର ୩୫ ପରିବାରର ୧୫୮, କୋଟିଆର ୧୨୯ ପରିବାରର ୭୯୭, ଦୋଳିଆମ୍ବୋର ୪୩ ପରିବାରର ୨୨୪ ଜଣ ସଦସ୍ୟ ରହିଛନ୍ତି। ଏହାବାଦ୍‌ ତଳସେମ୍ବି, ତାଡିବଲସା, ଧୂଳିଆପଦର, ନେରଡିବାଲସା, ପିନିକି, ଫଗୁଣସେନେରି, ବରଣପଡୁ, ମହିପାଣି, ମଦକର, ରଣସିଂହ, ସଲପଗୁଡା, ସିଡିବାଲସା, ସିମେଇଗେଡା ଏବଂ ହରମନଡାଙ୍ଗି ପ୍ରଭୃତି ରାଜସ୍ବ ଗ୍ରାମରେ ଅବଶିଷ୍ଟ ଲୋକ ରହିଛନ୍ତି। ଗଞ୍ଜେଇପଦରରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ତେବେ ବିଦ୍ୟୁତ୍‌, ପାଣି, ରାସ୍ତା, ଇଣ୍ଟରନେଟ୍‌ ଭଳି ସମସ୍ୟା ଏବେ ବି କୋଟିଆ ଅଞ୍ଚଳରେ ଲାଗିରହିଛି। ସେଠାରେ ଏସବୁ ସମସ୍ୟା ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୯୦ କୋଟିର ବିକାଶ ନକ୍ସା ଅଙ୍କାଯାଇଛି। ୨୦ଟି ବିଭାଗ କୋଟିଆର ବିକାଶ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି।

 

Dharitri – Odisha’s No.1 Odia Daily