ସୁସ୍ଥ ହୋଇ ଘରକୁ ଫେରିଲେ କ୍ୟାମେରାମ୍ୟାନ ପ୍ରଭାତ : କହିଲେ ମୁଁ ରହିଗଲି ,ସେ ଚାଲିଗଲା

ଭୁବନେଶ୍ୱର,୨୭।୯(ବ୍ୟୁରୋ): କଟକ ମୁଣ୍ଡଳିଠାରେ ଘଟିଥିବା ବୋଟ ଦୁର୍ଘଟଣାରେ ଗୁରୁତର ହୋଇଥିବା ଓଟିଭି କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହି ଦୁର୍ଘଟଣାରେ ଓଟିଭିର ଚିଫ ରିପୋର୍ଟର ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ପ୍ରଭାତଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ପରେ ଗତ ୩ ଦିନ ଧରି ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ମେଡିକାଲରୁ ଡିସଚାର୍ଜ ହେବା ପରେ ପ୍ରଭାତ କହିଛନ୍ତି, ଅରିନ୍ଦମ ଓ ମୁଁ ଏକାଠି ସବୁ ଜାଗାକୁ ନ୍ୟୁଜ କଭର କରିବାକୁ ଯାଉ। ହେଲେ ମୁଁ ରହିଗଲି, ସେ ଚାଲିଗଲା। ମନରେ ସବୁଦିନ ପାଇଁ ଏହି ଦୁଃଖ ରହଗଲା।
ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ମୁଣ୍ଡଳିଠାରେ ଫସି ରହିଥିବା ହାତୀ ଉଦ୍ଧାର ପାଇଁ ଯାଇଥିବା ଓଡ୍ରାଫ ଟିମ ସହ ବୋଟ୍‌ରେ ଓଟିଭି ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ବି ଯାଇଥିଲେ। ମାତ୍ର ମଝି ନଦୀରେ ବୋଟ୍‌ଟି ଓଲଟି ପଡ଼ି ଅରିନ୍ଦମ ଓ ଜଣେ ଓଡ୍ରାଫ କର୍ମଚାରୀ ସୀତାରମ ମୁର୍ମୁଙ୍କ ମୃତ୍ୟୁ ଘଟିଥିଲା।