ନୂଆଦିଲ୍ଲୀ,୧୮।୧୦: ଯଦି ଆପଣଙ୍କ ସେଭିଂସ ଆକାଉଣ୍ଟରେ ମିନିମମ ବାଲାନ୍ସ ନାହିଁ, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଖାତାରେ ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ରାଶି ରଖିବାକୁ କୁହନ୍ତି। କିନ୍ତୁ ଅନେକ ଲୋକ ଏହାକୁ ଅଣଦେଖା କରନ୍ତି। ମିନିମମ ବାଲାନ୍ସ ନ ରଖିବା ଦ୍ୱାରା ଆପଣ ଅନେକ କ୍ଷତି ଭୋଗିପାରନ୍ତି, ଯେପରିକି ଜରିମାନା, ବ୍ୟାଙ୍କର ସୁବିଧା ନ ମିଳିବା ଏବଂ ଏପରିକି ଆକାଉଣ୍ଟ ବନ୍ଦ ହେବାର ସମ୍ଭାବନା। ଆସନ୍ତୁ ଆଜି ଆମେ ଜାଣିବା ସେଭିଂସ ବ୍ୟାଙ୍କ ଆକାଉଣ୍ଟରେ ମିନିମମ ବାଲାନ୍ସ ନ ରଖିବାର କ’ଣ କ୍ଷତି ହୋଇପାରେ।
ଯଦି ଆପଣଙ୍କ ଖାତାରେ ନିର୍ଦ୍ଦିଷ୍ଟ ରାଶିଠାରୁ କମ ବାଲାନ୍ସ ରହୁଛି, ତେବେ ବ୍ୟାଙ୍କ ପ୍ରତି ମାସ ବା ତ୍ରୈମାସିକରେ ଜରିମାନା ଲଗାଇପାରେ। ଏହା ବ୍ୟତୀତ ମାଗଣା ଏଟିଏମ୍ ଟ୍ରାନଜାକସନ୍, ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ଚେକ୍ବୁକ ସର୍ଭିସ ଭଳି ସୁବିଧା କେବଳ ତେବେ ମିଳେ, ଯେତେବେଳେ ଆପଣ ମିନିମମ ବାଲାନ୍ସ ରଖନ୍ତି। ବାରମ୍ବାର ଜରିମାନା ଦେବା ଦ୍ୱାରା ଆପଣଙ୍କ କ୍ରେଡିଟ ହିଷ୍ଟ୍ରି ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ଯାହାଦ୍ୱାରା ଋଣ ବା କ୍ରେଡିଟ କାର୍ଡ ନେବା କଷ୍ଟକର ହୋଇପାରେ। ଲଗାତାର ମିନିମମ ବାଲାନ୍ସ ନ ରଖିବା ଦ୍ୱାରା ବ୍ୟାଙ୍କ ଆପଣଙ୍କ ଖାତାକୁ ନିଷ୍କ୍ରିୟ ବା ବନ୍ଦ ମଧ୍ୟ କରିପାରେ।
କାହିଁକି ଗୁରୁତ୍ୱପୂର୍ଣ୍ଣ ମିନିମମ ବାଲାନ୍ସ?
ବ୍ୟାଙ୍କକୁ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ଏବଂ ଆକାଉଣ୍ଟ ମେଣ୍ଟେନ କରିବା ପାଇଁ ଖର୍ଚ୍ଚ କରିବାକୁ ପଡ଼େ। ମିନିମମ ବାଲାନ୍ସ ଦ୍ୱାରା ବ୍ୟାଙ୍କର ଆର୍ଥିକ ସ୍ଥିତି ମଜବୁତ ରହିଥାଏ ଏବଂ ଏହା ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିପାରେ। ଏହା ବ୍ୟତୀତ, ଆପଣ ବ୍ୟାଙ୍କର ୱେବସାଇଟ ବା ଆପ୍ରୁ ଆବଶ୍ୟକୀୟ ରାଶି ଜାଣିପାରିବେ, ଅନ୍ୟ ଖାତାରୁ ଅଟୋ ଡେବିଟ ସେଟ୍ କରିପାରିବେ ଏବଂ ଅନାବଶ୍ୟକ ଖର୍ଚ୍ଚ କମାଇ ବାଲାନ୍ସ ରଖିପାରିବେ। ଏହାର ଲାଭ ମିନିମମ୍ ବାଲାନ୍ସ ରଖିବା ଦ୍ୱାରା ଆପଣଙ୍କୁ କୌଣସି ଜରିମାନା ଦେବାକୁ ପଡ଼େ ନାହିଁ ଏବଂ ବ୍ୟାଙ୍କର ସମସ୍ତ ସୁବିଧା ମିଳିବ। ଏହା ସହିତ ଅଧିକ ବାଲାନ୍ସ ଥିଲେ ସୁଧ ମଧ୍ୟ ବଢ଼ିବ। ଅନେକ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଡେବିଟ-କ୍ରେଡିଟ କାର୍ଡ ଅଫର୍, ପର୍ସନାଲ ଲୋନ ଏବଂ ରିୱାର୍ଡ ପଏଣ୍ଟ ଭଳି ସୁବିଧା ମଧ୍ୟ ପ୍ରଦାନ କରନ୍ତି। ତେଣୁ ଆପଣଙ୍କ ଖାତାରେ ମିନିମମ୍ ବାଲାନ୍ସ ରଖିବା କେବଳ ଆବଶ୍ୟକୀୟ ନୁହେଁ, ବରଂ ଏହା ଏକ ଛୋଟ ଅଭ୍ୟାସ ଯାହା ଆପଣଙ୍କୁ ବଡ଼ କ୍ଷତିରୁ ବଞ୍ଚାଇପାରେ।


