ଭୁବନେଶ୍ୱର,୩୧ା୮(ସୁନିତ୍ ମିଶ୍ର): ବିଜେଡି ଯୁବ ଓ ଛାତ୍ର ସଭାପତି ଚୟନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱ ଦୂରହେବାର ନାଁ ଧରୁନାହିଁ। ଏନେଇ ଉଭୟ ଛାତ୍ର ଓ ଯୁବ ଜନତା ଦଳର ବହୁ ଅସନ୍ତୁଷ୍ଟ ନେତା ମେଳି ବାନ୍ଧିଛନ୍ତି। କେଉଁ ଆଧାରରେ ଚିନ୍ମୟ ସାହୁ ଓ ଈସ୍ପିତା ସାହୁଙ୍କୁ ଦାୟିତ୍ୱ ଦିଆଗଲା ବୋଲି ଅସନ୍ତୁଷ୍ଟ ନେତା ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ଦଳର ତଥାକଥିତ ବରିଷ୍ଠ ନେତାମାନଙ୍କୁ ଏନେଇ ଜବାବ ମାଗୁଥିବାବେଳେ ସେମାନେ କିନ୍ତୁ ଏବେ ଲୁଚୁଥିବା ଯୁବ ଓ ଛାତ୍ରର ବହୁ ନେତା ଚର୍ଚ୍ଚା କରୁଛନ୍ତି।
ଯୁବ ଜନତା ଦଳର ବହୁ ନେତା ଓ କର୍ମୀ ଏକାଠି ହୋଇ ଶୁକ୍ରବାର ଶଙ୍ଖଭବନରେ ପ୍ରାୟ ସାଢ଼େ ୩ ଘଣ୍ଟା ପର୍ଯ୍ୟନ୍ତ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କୁ ଘେରିଥିଲେ। ସେମାନଙ୍କ ପ୍ରଶ୍ନର ଉତ୍ତର ନ ଦେବା ଯାଏ ଦେବୀଙ୍କୁ ଛଡ଼ାଯିବ ନାହିଁ ବୋଲି ଯୁବ ଜନତା ଦଳ ନେତାମାନେ ସିଧାସିଧା ଶୁଣାଇଥିଲେ। ହେଲେ ଦେବୀ ସେଠାରୁ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରଣବ ପ୍ରକାଶ ଦାସ(ବବି), ପ୍ରଣବ ବଳବନ୍ତରାୟ, ଅତନୁ ସବ୍ୟସଚୀ ନାୟକ, ପ୍ରତାପ ଜେନା ପ୍ରମୁଖଙ୍କୁ ଶନିବାର ସା ସାଢ଼େ ୭ଟାରେ ଶଙ୍ଖଭବନକୁ ଆସି ଏ ବିଷୟରେ ଆଲୋଚନା କରିବାକୁ କହିଥିଲେ। ସମସ୍ତେ ଆସିବେ ବୋଲି କହିବା ପରେ ଶନିବାର ସାରେ ଆଉ ଥରେ ଏନେଇ ଆଲୋଚନା ହେବ ବୋଲି ଚୂଡ଼ାନ୍ତ ହେଲା। ତା’ପରେ ଯୁବନେତାମାନେ ଦେବୀ ମିଶ୍ରଙ୍କୁ ଛାଡ଼ିଥିଲେ। ଜଣେ ଯୁବନେତାଙ୍କ ସୂଚନା ମୁତାବକ, ସଭାପତି ନିଯୁକ୍ତିକୁ ନେଇ ଅରୁଣ ସାହୁଙ୍କ ସହ କେତେଜଣ ଯୁବ ଓ ଛାତ୍ର ନେତା ଭେଟିବାକୁ ଚାହିଁଥିଲେ। ତାଙ୍କୁ ମଧ୍ୟ ଫୋନ୍ କରାଯାଇଥିଲା। ହେଲେ ଏହି ନିଯୁକ୍ତି ନେଇ ତାଙ୍କ ସହ ଆଲୋଚନା କରାଯାଇ ନ ଥିବାରୁ ସେ ଏଥିରେ ମୁଣ୍ଡ ପୂରାଇବେନାହିଁ ବୋଲି କହିଥିବା ଜଣାପଡ଼ିଛି। ଅନ୍ୟପଟେ ଶନିବାର ଯୁବନେତାମାନେ ଯେତେବେଳେ ସାରେ ଆସିବାକୁ ଥିବା ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିବାକୁ ବାହାରୁଥିଲେ କେହି କୁଆଡ଼େ ଆସିଲେନି ବୋଲି ଦଳରେ ଚର୍ଚ୍ଚା ଜୋର୍ ଧରିଛି। ଏହି ଆଲୋଚନାର ସମୟକୁ ସୋମବାର ପର୍ଯ୍ୟନ୍ତ ଗଡ଼ାଇ ଦିଆଯାଇଥିବା ଯୁବ ଜନତା ଆଗଧାଡ଼ିର ଜଣେ ନେତା ସୂଚନା ଦେଇଛନ୍ତି। ଛାତ୍ର ଜନତା ଦଳର ଅସନ୍ତୁଷ୍ଟ ନେତାମାନେ ବବି ଙ୍କୁ ଭେଟିବା ପାଇଁ ଶୁକ୍ରବାରଠାରୁ ସମୟ ମାଗିଥିବାବେଳେ ସେ ମଧ୍ୟ ହଁ କରିଥିଲେ। ହେଲେ ଶନିବାର ବବି ମଧ୍ୟ ଆଉ ଅସନ୍ତୁଷ୍ଟ ଛାତ୍ର ନେତାମାନଙ୍କୁ ଭେଟିଲେ ନାହିଁ। ଜଣେ ବରିଷ୍ଠ ନେତା ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, କୌଣସି ବରିଷ୍ଠ ନେତାଙ୍କ ସହ ଆଲୋଚନା ନ କରି ଯୁବ ଓ ଛାତ୍ର ସଭାପତି ଘୋଷଣା କରିଦିଆଯାଇଛି, ଯେଉଁକଥା କହିବାକୁ ତଥାକଥିତ ବରିଷ୍ଠମାନଙ୍କୁ ଖରାପ ଲାଗୁଛି। ଦଳରେ ସେମାନଙ୍କ ଗୁରୁତ୍ୱ କେତେ ସେକଥା ପଦାରେ ପଡ଼ିଯିବା ଭୟରେ ସେମାନେ ଲୁଚିବା ଛଡ଼ା ଆଉ କିଛି ବାଟ ତିଆରି କରିବାକୁ ସକ୍ଷମ ହେଇପାରୁ ନ ଥିବା ସେ କହିଛନ୍ତି। ଅନ୍ୟପଟେ ଅସନ୍ତୁଷ୍ଟ ଛାତ୍ରନେତାମାନଙ୍କୁ ଭେଟିବାକୁ ବବି ରବିବାରକୁ ସମୟ ଦେଇଥିବା ଜଣାପଡ଼ିଛି।