ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୬ ବଜେଟ୍ ଉପସ୍ଥାପନ କରିଛନ୍ତି। ଦେଶର ସାଧାରଣ ଜନତାଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏଥିରେ ନିଆଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିବହନ ଭଳି କ୍ଷେତ୍ରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି।
୧. ବଜେଟରେ ମତ୍ସ୍ୟଚାଷ, ପଶୁପାଳନ ପାଇଁ ପ୍ରୋତ୍ସାହନ ଦିଆଯାଇ କୃଷି ଭିତ୍ତିକ ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖା ଯାଇଛି। ଚାଷୀଙ୍କୁ ବୈଷୟିକ ଜ୍ଞାନକୌଶଳ ସହ ଯୋଡ଼ିବା ପାଇଁ ଡିଜିଟାଲ କୃଷି ମିଶନକୁ ବ୍ୟାପକ କରାଯିବ, ଯାହାଦ୍ୱାରା ଅମଳ ଏବଂ ଆୟ ବୃଦ୍ଧି ହେବ।
୨. ଯୁବପିଢ଼ି ଓ ଶିକ୍ଷା: ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ କନ୍ୟା ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ, ଯାହା ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଉତ୍ସାହିତ କରିବ। ଦେଶରେ ନୂତନ ଶିକ୍ଷାନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଟାଉନସିପ୍ ଗଠନ କରି ଦକ୍ଷତା ବିକାଶ ଉପରେ ଜୋର୍ ଦିଆଯିବ।
୩. ଛୋଟ ବ୍ୟବସାୟୀ (MSME): କ୍ଷୁଦ୍ର ଓ ମଧ୍ୟମ ବର୍ଗର ବ୍ୟବସାୟୀଙ୍କ ପାଇଁ ଋଣ ପ୍ରକ୍ରିୟାକୁ ସହଜ କରାଯାଇଛି। ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ ଓ ସୁଧ ରିହାତିର ବ୍ୟବସ୍ଥା କରିଛନ୍ତି।
୪. ସ୍ୱାସ୍ଥ୍ୟସେବା: ଦେଶରେ ଅଧିକ ସଂଖ୍ୟକ ଡାକ୍ତରଖାନା ନିର୍ମାଣ ସହ ମାନସିକ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର କେନ୍ଦ୍ର ଖୋଲାଯିବ। ସାଧାରଣ ଲୋକେ ଯେପରି ସହଜରେ ଓ ଶସ୍ତାରେ ଉନ୍ନତ ଚିକିତ୍ସା ପାଇପାରିବେ, ତାହା ନିଶ୍ଚିତ କରାଯାଇଛି।
୫. ଯୋଗାଯୋଗ: ସହରୀ ବିକାଶକୁ ଗତିଶୀଳ କରିବା ପାଇଁ ୭ଟି ନୂତନ ହାଇସ୍ପିଡ୍ ରେଳ କରିଡର ନିର୍ମାଣ ହେବ। ଏହାଦ୍ୱାରା ଦୂରତା କମିବା ସହ ବ୍ୟବସାୟିକ ଯୋଗାଯୋଗ ସହଜ ହେବ।

