ଭୁବନେଶ୍ୱର,୧୭ା୧(ବନ୍ଦନା ସେଠୀ): ଶୀତରେ ଥରୁଛି ସାରା ଓଡ଼ିଶା। ରାଜ୍ୟରେ ଆହୁରି ୨୪ ଘଣ୍ଟା ପ୍ରବଳ ଶୀତ ଲହରି ଜାରି ରହିବ। ଏଥିପାଇଁ ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଦୁଇଦିନ ପରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବାବେଳେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରୀ ରେକର୍ଡ କରାଯାଇଥିଲା। ଏହାତଳକୁ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାରେ ପଞ୍ଚମଥର ଲାଗି ୭୩ବର୍ଷର ସର୍ବକାଳୀନ ରେକର୍ଡ ଭାଙ୍ଗିଛି ଶୀତ। ଏଠାରେ ଜାନୁଆରୀ ୬ରେ ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରୀ ରହିଥିଲାବେଳେ ୭ରେ ୫.୪ ଡିଗ୍ରୀ, ୯ରେ ୪.୬ ଡିଗ୍ରୀ, ୧୦ରେ ୪.୫ ଡିଗ୍ରୀ ଏବଂ ୧୬ ତାରିଖରେ ୫ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଫୁଲବାଣୀରେ ୬.୧ ଡିଗ୍ରୀ, କେନ୍ଦୁଝର ୭.୬ ଡିଗ୍ରୀ, ସୁନ୍ଦରଗଡ଼ ୭.୬ ଡିଗ୍ରୀ, ଅନୁଗୋଳ ୮.୪ ଡିଗ୍ରୀ, ବାରିପଦା ୮.୬ ଡିଗ୍ରୀ, ଢେଙ୍କାନାଳ ୮.୭ ଡିଗ୍ରୀ, ଦାରିଙ୍ଗବାଡି ୯ ଡିଗ୍ରୀ, କୋରାପୁଟ ୯.୫ ଡିଗ୍ରୀ ଏବଂ ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ରହିଥିଲା। ସେହିପରି ଟୁଇନ୍ ସିଟି କଟକ ଓ ଭୁବନେଶ୍ୱରରେ ପୁଣି ୧୦ ଡିଗ୍ରୀ ତଳକୁ ଖସିଥିଲା ତାପମାତ୍ରା। କଟକରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ୱରରେ ୧୦.୫ ଡିଗ୍ରୀକୁ ଖସି ଆସିଥିଲା ପାରଦ। ତେବେ ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ବୌଦ୍ଧ, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କନ୍ଧମାଳ ଜିଲାକୁ ପ୍ରବଳ ଥଣ୍ଡା ନେଇ ସତର୍କ କରାଯାଇଛି। ଏଥିସହ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍ସିଂହପୁର, କଟକ, ବାଲେଶ୍ୱର, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦୁଝର ଏବଂ କନ୍ଧମାଳ ଜିଲାକୁ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖାଦେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର।