ଗଞ୍ଜାମ,୨୨।୧୦: ସମ୍ବେଦନଶୀଳ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୋଲିସ୍କୁ ଏକ ବଡ଼ ସଫଳତା ମିଳିଛି। ପୋଲିସ୍ ଘଟଣାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ପୁରୀ ସମୁଦ୍ର ବେଳାଭୂମିର ବାଲି ତଳୁ ଜବତ କରିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଗତ ଅକ୍ଟୋବର ୬ ତାରିଖ ରାତିରେ ବ୍ରହ୍ମପୁରରେ ହତ୍ୟାକାଣ୍ଡ ଘଟିବା ପରେ ଏହି ଅସ୍ତ୍ରକୁ ଅଭିଯୁକ୍ତମାନେ ପୁରୀ ବେଳାଭୂମିରେ ପୋତି ଦେଇଥିଲେ। ପୋଲିସ୍ ଏବେ ସନ୍ଦେହ କରୁଛି ଯେ ଅଭିଯୁକ୍ତମାନେ ଗିରଫରୁ ବର୍ତ୍ତିବା ପାଇଁ ପୁରୀ ସହରରେ ଲୁଚି ରହିଛନ୍ତି।
ଏହି ଘଟଣା ଏପରି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଦକ୍ଷିଣାଞ୍ଚଳ ଆଇଜି ନୀତୀଶ ଶେଖର କହିଛନ୍ତି ଯେ ଏହି ହତ୍ୟା ମାମଲା ଦିନେ ଦୁଇ ଦିନ ମଧ୍ୟରେ ସମାଧାନ ହୋଇଯିବ। ତେବେ, ହତ୍ୟାକାଣ୍ଡକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ଏହି ଭାଜପା ନେତା ତଥା ଆଇନଜୀବୀଙ୍କ ହତ୍ୟାକାରୀଙ୍କୁ ପୋଲିସ ଏପର୍ଯ୍ୟନ୍ତ ଧରିପାରି ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ୍ ୧୦ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତ ଅନେକ ଦିଗରୁ ଚାଲିଥିଲେ ମଧ୍ୟ, ପୀତବାସ ପଣ୍ଡାଙ୍କ ହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।