ରାୟଗଡ଼ା,୩ା୨(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ମାର୍ଚ୍ଚ ୩୧ ଡେଡ୍ଲାଇନ ଦେବା ସହିତ ଭାରତୀୟ ଗଣତନ୍ତ୍ରରେ ସାମିଲ ହେବା ଲାଗି ଚେତାବନୀ ଦେଇଛନ୍ତି। ଏହାପରେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ମାଓବାଦୀ ଆତ୍ମସମର୍ପଣ କରୁଥିବାବେଳେ ଅନେକ ସ୍ଥାନରେ ଯବାନଙ୍କ ଗୁଳିରେ ମାଓବାଦୀଙ୍କ ମୃତ୍ୟୁ ଘଟୁଛି। ଏହିକ୍ରମରେ ଓଡ଼ିଶାର ମୁଖ୍ୟ କୁହାଯାଉଥିବା ବା.ଘୁ.ନା, ନିୟମଗିରି ଏରିଆ କମିଟି ଓ ରାଜ୍ୟ କମିଟିର ଟପ୍ ମାଓବାଦୀ ଦମ୍ପତି ନିଖିଳ (ନିରଞ୍ଜନ ରାଉତ) ଓ ସ୍ତ୍ରୀ ଇନ୍ଦୁ (ଅଙ୍କିତା ଓରଫ ରଶ୍ମିତା ଲେଙ୍କା) ରାଜ୍ୟ ସରକାର ଓ ଗୃହ ବିଭାଗକୁ ୪ଟି ପ୍ରସ୍ତାବ ଦେଇଛନ୍ତି। ଏଥିରେ ସରକାର ରାଜି ହେଲେ ପତ୍ନୀପତି ଖୁବ୍ଶୀଘ୍ର ଆତ୍ମସମର୍ପଣ କରିବେ ଓ ଅନ୍ୟ ସାଥୀମାନଙ୍କୁ ଗଣତାନ୍ତ୍ରିକ ପଦ୍ଧତିରେ ମୁଖ୍ୟସ୍ରୋତରେ ସାମିଲ ପାଇଁ ପ୍ରବର୍ତ୍ତାଇବେ ବୋଲି ମାଓବାଦୀ ନେତା ନିଖିଳ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି।
ପ୍ରଥମ ସର୍ତ୍ତରେ ଜଳ, ଜମି, ଜଙ୍ଗଲ ଅଧିକାର ପାଇଁ ଆମେ କାର୍ଯ୍ୟ କରିବାକୁ ଚାହୁଁ ବୋଲି ଉଲ୍ଲେଖ ରହିଛି। ଦ୍ୱିତୀୟରେ ଆତ୍ମସମର୍ପଣ ପରେ ଆମ ଦୁଇଜଣଙ୍କୁ ମାଓବାଦୀଙ୍କ ବିରୋଧରେ ଏବଂ ଜନବିରୋଧୀ ଆନ୍ଦୋଳନରେ ନିୟୋଜିତ କରା ନ ଯାଉ। ତୃତୀୟରେ ପୂର୍ବରୁ ମାଓବାଦୀ ନେତା ଆଜାଦ୍, ସବ୍ୟସାଚୀ ପଣ୍ଡାଙ୍କୁ ଜେଲରେ ରଖାଯାଇଛି। ଏହା ସରକାରଙ୍କ ଆଇନ ବିରୋଧୀ। ସରକାର ଆତ୍ମସମର୍ପଣ ନୀତି ଲାଗୁ କରିଛନ୍ତି, କିନ୍ତୁ ତାହା ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପରେ ଲାଗୁ କରାଯାଉ ନ ଥିବାରୁ ସରକାରଙ୍କ ଉପରେ ବିଶ୍ବସନୀୟତା ଆସୁନି। ତେଣୁ ଉକ୍ତ ନୀତି କାର୍ଯ୍ୟକାରୀ କରନ୍ତୁ। ଶେଷରେ ଦେଶର ବିଭିନ୍ନ ପ୍ରାନ୍ତରେ ମାଆ, ମାଟି, ଜଳ, ଜମି ଜଙ୍ଗଲ, ପରିବେଶ ସୁରକ୍ଷା ପାଇଁ ଲଢ଼େଇ କରୁଥିବା ଆଦିବାସୀଙ୍କ ଉପରେ ସୁରକ୍ଷାକର୍ମୀମାନେ ଯେଉଁ ଜୁଲୁମ କରୁଛନ୍ତି ତାହା ବନ୍ଦ କରାଯାଉ। ରାଜ୍ୟ ସରକାର ଜନ ଆନ୍ଦୋଳନକୁ ବିରୋଧ ନ କରି ସେଠାର ଜନମତକୁ ସମ୍ମାନ ଦିଅନ୍ତୁ ବୋଲି ପ୍ରେସ୍ ବିବୃତିରେ ଉଲ୍ଲେଖ କରାଯାଇଛି। ସରକାର ଉକ୍ତ ବିଷୟକୁ ବୁଝିବେ ବୋଲି ଆମର ଆଶା ବୋଲି ରାଜ୍ୟର ଟପ୍ ମାଓବାଦୀ କ୍ୟାଡର ନିଖିଳ ଓ ତାଙ୍କ ପତ୍ନୀ ଇନ୍ଦୁ ପତ୍ରରେ ଉଲ୍ଲେଖ କରିଛନ୍ତି। ସରକାର ସମସ୍ତ ୪ଟି ସର୍ତ୍ତ ମାନିଲେ ସେ ଓ ତାଙ୍କ ସ୍ତ୍ରୀ ଆତ୍ମସମର୍ପଣ କରିବେ। ଦୀର୍ଘ ଦୁଇ ଦଶନ୍ଧି ଧରି ଗଞ୍ଜାମ, ଫୁଲବାଣୀ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ, ଛତିଶଗଡ଼, ରାୟଗଡ଼ା, ଗଜପତି ଜିଲାରେ ନିଜର ଆଧିପତ୍ୟ ଜାହିର କରି ଜଳ, ଜମି, ଜଙ୍ଗଲ ପାଇଁ ସରକାର ବିରୋଧୀ କାର୍ଯ୍ୟକ୍ରମ ଚଳାଇ ଆସୁଥିବା ରାଜ୍ୟ ମାଓବାଦୀ କମିଟି ସଦସ୍ୟ ନିଖିଳ ଏହା କହିଛନ୍ତି।