ଇସଲାମାବାଦ୍,୧୮।୧୦: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସିମ ମୁନିର, ଭାରତ ବିରୋଧରେ ଏକ ଧମକପୂର୍ଣ୍ଣ ବୟାନ ଦେଇ ପୁଣି ଥରେ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା କରିଛନ୍ତି। ଆବୋଟାବାଦର କାଲୁଲରେ ପାକିସ୍ତାନୀ ସାମରିକ ଏକାଡେମୀରେ କ୍ୟାଡେଟମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଭାରତ ଦ୍ୱାରା ଯେକୌଣସି ସାମାନ୍ୟ ଉତ୍ତେଜନାର ଜବାବ ପାକିସ୍ତାନ ଅଭୂତପୂର୍ବ ଏବଂ ଘାତକ ଜବାବ ଦେବ।
ତାଙ୍କ ଭାଷଣରେ ମୁନିର କହିଥିଲେ ଯେ, ପାକିସ୍ତାନ ଭାରତର ଭୌଗୋଳିକ ବିଶାଳତାର ଭ୍ରମକୁ ଭାଙ୍ଗି ଦେବ। ସେ ଭାରତୀୟ ସାମରିକ ନେତୃତ୍ୱ ବିରୋଧରେ ବିଷ ଓଗାଳିଥିଲେ। ଉତ୍ତେଜନାପୂର୍ଣ୍ଣ ବୟାନବାଜିରୁ ନିବୃତ୍ତ ରହିବା, ଜାତିସଂଘ ପ୍ରସ୍ତାବ ଏବଂ ଅନ୍ତର୍ଜାତୀୟ ଚୁକ୍ତିନାମା ଅନୁଯାୟୀ, ସମସ୍ତ ବକେୟା ବିବାଦର ସମାଧାନ କରିବାକୁ ଆହ୍ବାନ କରିଥିଲେ। ପାକିସ୍ତାନକୁ ଦମନ କିମ୍ବା ଭୟଭୀତ କରାଯାଇପାରିବ ନାହିଁ।
ଏହା ପ୍ରଥମ ଥର ନୁହେଁ ଯେ, ଅସିମ ମୁନିର ଭାରତ ବିଷୟରେ ଏପରି ବୟାନ ଦେଇଛନ୍ତି। ଅଗଷ୍ଟ ୨୦୨୫ରେ, ଆମେରିକାର ଟାମ୍ପାରେ ଏକ କାର୍ଯ୍ୟକ୍ରମ ସମୟରେ ସେ କହିଥିଲେ, ଯଦି ପାକିସ୍ତାନ ଏକ ଅସ୍ତିତ୍ୱଗତ ସଙ୍କଟର ସମ୍ମୁଖୀନ ହୁଏ, ତେବେ ଏହା ଅଧା ବିଶ୍ୱକୁ ନିଜ ସହିତ ନେଇଯିବ। ଯଦି ଭାରତ ସିନ୍ଧୁ ନଦୀ ଉପରେ ଏକ ବନ୍ଧ ନିର୍ମାଣ କରେ, ତେବେ ପାକିସ୍ତାନ ୧୦ଟି ମିଶାଇଲ୍ ସହିତ ଏହାକୁ ଧ୍ୱଂସ କରିବ। ଏହି ବୟାନଗୁଡ଼ିକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟ ଦ୍ୱାରା ପରମାଣୁ ବ୍ଲାକମେଲ ଏବଂ ଦାୟିତ୍ୱହୀନ ବୋଲି ନିନ୍ଦା କରାଯାଇଥିଲା।
ଭାରତ ଅସୀମ ମୁନିରଙ୍କ ପୂର୍ବ ବକ୍ତବ୍ୟକୁ ପରମାଣୁ ଯୁଦ୍ଧାସ୍ତ୍ର-ବିବାଦ ବୋଲି ବର୍ଣ୍ଣନା କରିଥିଲା ଏବଂ କହିଥିଲା ଯେ, ଏପରି ବିପଦ ଆଞ୍ଚଳିକ ସ୍ଥିରତା ପାଇଁ ବିପଦ ସୃଷ୍ଟି କରେ। ଏହା ବ୍ୟତୀତ, ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, ପାକିସ୍ତାନର ସେନାର ଆତଙ୍କବାଦୀ ସଂଗଠନ ସହିତ ସମ୍ପର୍କର ଇତିହାସ ରହିଛି। ତେଣୁ, ପାକିସ୍ତାନର ପରମାଣୁ ନିୟନ୍ତ୍ରଣ ବିଷୟରେ ବିଶ୍ୱବ୍ୟାପୀ ଚିନ୍ତା ସ୍ବାଭାବିକ।
Dharitri – Odisha’s No.1 Odia Daily


