ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ ହଳଦିଆ ଲୌହ ମିଶ୍ରିତ ଲୁଣି ପାଣି ବାହାରୁଛି। ଏହାକୁ ଦୃଷ୍ଟିରେ ରଖି ଜଳକ୍ଳିଷ୍ଟ ଅଞ୍ଚଳ ପାଇଁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ୨୦୧୭ରୁ ଲୁଣାନଦୀରୁ ଜଳ ବିଶୋଧନ ମେଶିନରେ ଲବଣ ଜଳକୁ ମଧୁର ଜଳରେ ପରିଣତ କରି ଯୋଗାଇ ଦିଆଯାଉଛି। ବ୍ଲକର ମଙ୍ଗଳପୁର ଓ ବରକନ୍ଧା ପଞ୍ଚାୟତକୁ ଘରେ ଘରେ ଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ୱାଟର ଭ୍ୟାନ ଯୋଗେ ଦୈନିକ ଯୋଗାଣ କରାଯାଉଛି। ତେବେ ଖରାଦିନକୁ ଦୃଷ୍ଟିରେ ରଖି ଜଳକ୍ଳିଷ୍ଟ ମୌଜାଗୁଡିକରେ ଠିକ୍ ଢଙ୍ଗରେ ପାନୀୟ ଜଳ ଯୋଗାଣ କରାଯାଉଛି କି ନାହିଁ ଶୁକ୍ରବାର ଜିଲାପାଳ ତଦାରଖ କରିଥିଲେ। ବ୍ଲକର ତେରଗାଁ ଫେରିଘାଟ ସଂଲଗ୍ନ ଲୁଣାନଦୀ ପାଶର୍ବରେ ଥିବା ଜଳ ବିଶୋଧନ ପ୍ଲାଣ୍ଟକୁ ଜିଲାପାଳ ରଘୁରାମ ଆର ଆୟର ଦେଖିଥିଲେ । ପରେ ବିଭାଗୀୟ ଅଧିକାରୀମାନଙ୍କୁ ପାନୀୟଜଳ ଯୋଗାଣ ଉପରେ ପଚରାଉଚରା କରିଥିଲେ। ପରେ ମଙ୍ଗଳପୁର ପଞ୍ଚାୟତ ବଉଳପଡ଼ା ମୌଜାରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ।
ଏହି ଗସ୍ତ ସମୟରେ ବଡିଓ ରବି ନାରାୟଣ ଆଚାର୍ଯ୍ୟ, ଜିଲା ଗ୍ରାମ୍ୟ ପାନୀୟଜଳ ଯୋଗାଣ ନିର୍ବାହୀ ଯନ୍ତ୍ରୀ ସୁଜିତ୍ କୁମାର ଲୁଗୁନ, ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ କୁମାର ରାଉତ, ସହକାରୀ ଯନ୍ତ୍ରୀ ସୁବ୍ରତ କୁମାର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ ଓ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।