ଭଞ୍ଜନଗର,୨୪ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର କେତେକ ସ୍ଥାନରେ ପାଇପ୍ ଯୋଗେ ଯୋଗାଣ ହେଉଥିବା ପାଣିର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଛି। କିନ୍ତୁ ଏଥିପ୍ରତି ପଞ୍ଚାୟତ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧିକାରୀମାନେ ବିଶେଷ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି। ଏହିଭଳି ଭଞ୍ଜନଗର ସହରତଳି ଲଣ୍ଡେଇସାହିର କେତେକ ସ୍ଥାନରେ ପାଇପ୍ ଫାଟି ପାଣି ଡ୍ରେନ ଏବଂ ରାସ୍ତାରେ ଭାସୁଥିଲେ ମଧ୍ୟ ତାହାର ତୁରନ୍ତ ମରାମତି ପ୍ରତି ଧ୍ୟାନ ଦିଆଯାଉନାହିଁ। ଉକ୍ତ ଫଟା ପାଇପ୍ ବାଟେ ଦୂଷିତ ପାଣି ଘରକୁ ଯାଉଥିବା ଆଶଙ୍କା କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ଲୋକେ ବିଭିନ୍ନ ରୋଗରେ ଆଶଙ୍କା ହେଉଛନ୍ତି। ଏଥିସହ ଲୋକେ ଅଜାଣତରେ ଅନେକ ରୋଗରେ ପରବର୍ତ୍ତୀ ପର୍ଯ୍ୟାୟରେ ମଧ୍ୟ ଆକ୍ରାନ୍ତ ହେଉଥିବା ଆଶଙ୍କା କରାଯାଉଛି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ବର୍ଷା ଦିନେ ଏହି ଫଟା ପାଇପ ସ୍ବାସ୍ଥ୍ୟ ପାଇଁ ବିପଦ ସାଜିବ।
ଏହାପୂର୍ବରୁ ଗତବର୍ଷ ଫଟା ପାଇପ୍ରୁ ବାହାରୁଥିବା ଦୂଷିତ ପାଣି ପିଇ ଛେଦାଭୂମି, ଗୁଣ୍ଡିରିବାଡ଼ି, ବଡ଼କୋଦଣ୍ଡ ଗ୍ରାମର ବହୁ ଲୋକ ଜଣ୍ଡିସ, ଝାଡ଼ାବାନ୍ତି, ପେଟ ବ୍ୟଥା ଭଳି ଅନେକ ରୋଗରେ ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ କିଛି ଲୋକ ମଧ୍ୟ ଅକାଳରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଥିଲା। ପାଣି ଯୋଗାଣ ଦାୟିତ୍ୱରେ ରହୁଥିବା ପଞ୍ଚାୟତ ଅଧିକାରୀମାନେ ଯେତିକି ତତ୍ପର ଦେଖାଇବା କଥା ଦେଖାଉନାହାନ୍ତି। ଯାହାକି ଚିନ୍ତାଜନକ ବିଷୟ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୯ରେ ମଧ୍ୟପ୍ରଦେଶ ଇନ୍ଦୋର ଭଗୀରଥିପୁର ଅଞ୍ଚଳରେ ଦୂଷିତ ପାଣି ପିଇ ଶତାଧିକ ଲୋକ ଅସୁସ୍ଥ ହୋଇଥିଲେ। ସେଥିମଧ୍ୟରୁ ଆଜି ସୁଦ୍ଧା ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ସୋସିଆଲ ମିଡିଆରୁ ଜଣାପଡ଼ିଛି। ତେଣୁ ଏହାର ପୁନରାବୃତ୍ତି ଅନ୍ୟ କୌଣସି ରାଜ୍ୟରେ ଯେଭଳି ନ ହେବ ସେଥିପ୍ରତି କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।