ଚନ୍ଦ୍ରରେ ଜଳ

ପ୍ରଖ୍ୟାତ ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ୧୬୦୯ ମସିହାରେ ପ୍ରଥମେ ଦୂରବୀକ୍ଷଣ ଯନ୍ତ୍ର ଜରିଆରେ ଚନ୍ଦ୍ରକୁ ନିରୀକ୍ଷଣପୂର୍ବକ ଏହା ପୃଷ୍ଠର ପର୍ଯ୍ୟବେକ୍ଷଣ କରିଥିଲେ। ସେ ଚନ୍ଦ୍ରପୃଷ୍ଠରେ ଅନେକ ବିସ୍ତୀର୍ଣ୍ଣ ଅନ୍ଧକାରାଚ୍ଛନ୍ନ ଅଞ୍ଚଳ ଲକ୍ଷ୍ୟ କରିଥିଲେ। ସେସବୁକୁ ସେ ଚନ୍ଦ୍ରର ସମୁଦ୍ର ବୋଲି ଧରି ନେଇଥିଲେ। ଏବେ ଜଣାପଡ଼ିଛି ଯେ, ଚନ୍ଦ୍ରରେ କୌଣସି ଜଳପୂର୍ଣ୍ଣ ସମୁଦ୍ର ନାହିଁ; ବରଂ ଏହା ଏକ ଶୁଖିଲା ବାଲୁକାମୟ ମରୁଭୂମି। ଚନ୍ଦ୍ରରେ ଜଳର ଉପସ୍ଥିତି ସମ୍ପର୍କରେ ବହୁ ପୂର୍ବରୁ ଅନେକ କଳ୍ପନା ଜଳ୍ପନା ରହି ଆସିଥିଲେ ସୁଦ୍ଧା ଜଳର ଉପସ୍ଥିତିକୁ ପ୍ରମାଣ କରିବା ପାଇଁ କୌଣସି ନିର୍ଭରଯୋଗ୍ୟ ତଥ୍ୟ ଏପର୍ଯ୍ୟନ୍ତ ମିଳିନାହିଁ। ସର୍ବପ୍ରଥମେ ୧୯୯୦ ମସିହାରେ ଚନ୍ଦ୍ରକୁ ପରିକ୍ରମା କରୁଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏକ ସାମରିକ ଉପଗ୍ରହ ‘କ୍ଲିମେଣ୍ଟାଇନ’ ମହାକାଶଯାନ ଚନ୍ଦ୍ରପୃଷ୍ଠରେ ଜଳ ଅଣୁ ଉପସ୍ଥିତିର ସୂଚନା ପ୍ରଦାନ କରିଥିଲା। ପରବର୍ତ୍ତୀ ସମୟରେ, ଭାରତୀୟ ଅନ୍ତରୀକ୍ଷ ସଙ୍ଗଠନ (ଇସ୍ରୋ)ର ଏକ ଉପଗ୍ରହ ‘ଚନ୍ଦ୍ରୟାନ -୧’ ଚନ୍ଦ୍ରରେ ଜଳ ଅଣୁ ଉପସ୍ଥିତିର ପ୍ରମାଣ କରିଥିଲା।
ଇତିମଧ୍ୟରେ ମିଳିଥିବା କିଛି ଚାଞ୍ଚଲ୍ୟକର ତଥ୍ୟରୁ ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ମତବାଦକୁ ସମର୍ଥନ ମିଳିଛି। ବିଗତ ୧୯୭୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ‘ଆପୋଲୋ’ ଚନ୍ଦ୍ର ଅଭିଯାନ ସମୟରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରୁ କାଚ ଭଳି ଦିଶୁଥିବା କିଛି ବିଚିତ୍ର ଗୋଡି ସଂଗ୍ରହ କରି ପୃଥିବୀକୁ ଆଣିଥିଲେ। ଏହି ଗୋଡିସବୁର ବ୍ୟାସ ୦.୧ ମି.ମି.ରୁ ୦.୪ ମି.ମି. ମଧ୍ୟରେ ସୀମିତ ଥିଲା। ଏଗୁଡ଼ିକ ପ୍ରାୟ ୩୦୦ କୋଟିରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବେ ଚନ୍ଦ୍ରର ଆଗ୍ନେୟଗିରିରୁ ନିର୍ଗତ ଉତ୍ତପ୍ତ ଲାଭାର ଶୀତଳୀକରଣ ପ୍ରକ୍ରିୟା ଦ୍ୱାରା ସୃଷ୍ଟି ହୋଇଥିବାର ଅନୁମାନ କରାଯାଏ। ୨୦୦୯ ମସିହାରେ, ଯୁକ୍ତରାଷ୍ଟ୍ର ଆମେରିକାର ଦଳେ ବୈଜ୍ଞାନିକ ‘ସେକେଣ୍ଡାରି ଆୟନ ମାସ ସ୍ପେକ୍ଟ୍ରୋଗ୍ରାଫି’ କୌଶଳ ଅବଲମ୍ବନ କରି ଏହି ଗୋଡିସବୁର ରାସାୟନିକ ଉପାଦାନ ଓ ଗଠନକୁ ଯାଞ୍ଚ କରିଛନ୍ତି। ପରୀକ୍ଷାରୁ ଏସବୁ ମଧ୍ୟରେ ଜଳୀୟ ଅଣୁ ସମେତ କିଛି ଉଦବାୟୀ ପଦାର୍ଥ (ଯାହା କମ୍‌ ତାପମାତ୍ରାରେ ବାଷ୍ପୀଭୂତ ହୁଏ) ଆବଦ୍ଧ ହୋଇ ରହିଥିବାର ସନ୍ଧାନ ମିଳିଛି। ବୈଜ୍ଞାନିକମାନେ ଏ ଦିଗରେ ଅଧିକ ଗବେଷଣା କରି ଏକ ନୂତନ ମତବାଦ ଉପସ୍ଥାପନ କରିଛନ୍ତି, ଯାହା ଦ୍ୱାରା ଚନ୍ଦ୍ର ଅତୀତରେ ଜଳୀୟ ଅବସ୍ଥାରୁ ସୃଷ୍ଟି ହୋଇଥିବାର ମତବାଦକୁ ସମର୍ଥନ ମିଳିଛି। ଏପରିକି, ଆମ ପୃଥିବୀର ଉପର ମ୍ୟାଣ୍ଟେଲରେ ଜଳର ମାତ୍ରା ୧୫୦ ପି.ପି.ଏମ୍‌. ହୋଇଥିଲାବେଳେ ଚନ୍ଦ୍ର ମ୍ୟାଣ୍ଟେଲରେ ଜଳର ମାତ୍ରା ଯଥେଷ୍ଟ ଅଧିକ ଏବଂ ଏପରିକି କେଇ ହଜାର ପି.ପି.ଏମ. ହୋଇ ଥାଇପାରେ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି।
ପରବର୍ତ୍ତୀ ଡିସେମ୍ବର ୨୦୨୦ ମସିହାରେ ଚାଇନାର ଏକ ମହାକାଶଯାନ ଚେଞ୍ଜ -୫ ଚନ୍ଦ୍ରପୃଷ୍ଠରେ ଅବତରଣ କରି ସେଠାରୁ କାଚ ଭଳି ଦିଶୁଥିବା ଏହି ଗୋଡ଼ିର ଆଉ କିଛି ନମୁନା ସଂଗ୍ରହ କରି ପୃଥିବୀକୁ ଆଣିଥିଲା। ଏହି ଗୋଡ଼ିସବୁର ବୈଜ୍ଞାନିକ ବିଶ୍ଳେଷଣ ଦ୍ୱାରା ଚନ୍ଦ୍ରପୃଷ୍ଠରେ ୩୦୦ ମିଲିୟନରୁ ୨୭୦ ବିଲିୟନ ଟନ୍‌ ପରିମାଣ ଜଳର ବିଶାଳ ଭଣ୍ଡାର ଗଚ୍ଛିତ ଥାଇପାରେ ବୋଲି ବୈଜ୍ଞାନିକମାନେ ମତପ୍ରକାଶ କରିଛନ୍ତି। ମାତ୍ର ଏହା ଚନ୍ଦ୍ର ସୃଷ୍ଟି ସମ୍ପର୍କୀୟ ଅନ୍ୟ ଏକ ଜଣଶୁଣା ‘ସଂଘର୍ଷ ତତ୍ତ୍ୱ’ ମତବାଦକୁ ବିରୋଧ କରୁଛି। ସଂଘର୍ଷ ତତ୍ତ୍ୱ ମତବାଦ ଅନୁଯାୟୀ, ଅତୀତରେ ପୃଥିବୀ ସହିତ ମଙ୍ଗଳ ଭଳି କୌଣସି ଗ୍ରହର ସଂଘର୍ଷ ଘଟିବାରୁ ପୃଥିବୀର କିଛି ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ଛିଟିକି ପଡ଼ିଥିଲା। ପରବର୍ତ୍ତୀ ସମୟରେ, ଏହି ଖଣ୍ଡସବୁ ପରସ୍ପର ସହ ସଂଯୋଜିତ ହୋଇ ଚନ୍ଦ୍ର ଭଳି ବିଶାଳକାୟ ପିଣ୍ଡମାନ ସୃଷ୍ଟି କଲେ। ଚନ୍ଦ୍ରରେ ଅତୀତରେ ଜଳ ଥିଲେ, ଉକ୍ତ ସଂଘର୍ଷରୁ ଉତ୍ପନ୍ନ ପ୍ରଚଣ୍ଡ ତାପମାତ୍ରାରେ ଚନ୍ଦ୍ରକୁ ଗଠନ କରିଥିବା ଖଣ୍ଡଗୁଡିକରେ ଥିବା ଜଳ ସମେତ ବିଭିନ୍ନ ଉଦବାୟୀ ପଦାର୍ଥ କେବେଠୁ ବାଷ୍ପୀଭୂତ ହୋଇଯିବଣି ବୋଲି ଆଶଙ୍କା କରାଯାଏ। ମାତ୍ର ଅନ୍ୟ କିଛି ବୈଜ୍ଞାନିକଙ୍କ ମତରେ, ଏହି ମତବାଦ କିଛି କାରଣରୁ ଚନ୍ଦ୍ର ସୃଷ୍ଟି ସମ୍ପର୍କୀୟ ‘ସଂଘର୍ଷ ତତ୍ତ୍ୱ’ ମତବାଦକୁ ବିରୋଧ କରୁନାହିଁ। ପ୍ରଥମତଃ, ଚନ୍ଦ୍ରକୁ ସୃଷ୍ଟି କରିଥିବା କୌଣସି ଖଣ୍ଡ ସଂଘର୍ଷର ପରବର୍ତ୍ତୀ କାଳରେ ଅତି ଶୀଘ୍ର ସୃଷ୍ଟି ହୋଇଥିଲେ ସେଥିରେ କିଛି ଜଳୀୟ ଅଣୁ ଆବଦ୍ଧ ହୋଇ ରହିଯିବା ସମ୍ଭବପର। ଦ୍ୱିତୀୟତଃ, ସଂଘର୍ଷକାରୀ ପିଣ୍ଡର କିଛି ଅଂଶ ପୃଥିବୀ ସହିତ ସିଧାସଳଖ ଧକ୍କା ହୋଇ ନ ଥିଲେ ସୁଦ୍ଧା ଅପେକ୍ଷାକୃତ ଶୀତଳ ତାପମାତ୍ରାରେ ରହିଥିବାରୁ ସେଥିରେ କିଛି ଜଳୀୟ ଅଣୁର ଉପସ୍ଥିତି ଆଶାତୀତ ନୁହେଁ। ତୃତୀୟରେ, ଚନ୍ଦ୍ର ସୃଷ୍ଟି ହେଲା ପରେ, ଜଳ ଥିବା ଅନ୍ୟ କୌଣସି ବାହ୍ୟଜାଗତିକ ବସ୍ତୁ (ଯଥା ଗ୍ରହାଣୁ କିମ୍ବା ଉଲ୍‌କା) ଚନ୍ଦ୍ରପୃଷ୍ଠରେ ପିଟି ହେବା ଦ୍ୱାରା ସେଥିରେ ଥିବା ଜଳ ଚନ୍ଦ୍ରକୁ ସ୍ଥାନାନ୍ତରିତ ହୋଇଥାଇପାରେ।
ତେବେ ଚନ୍ଦ୍ର ସୃଷ୍ଟି ସମ୍ପର୍କରେ ବିବାଦ ଏବେ ସୁଦ୍ଧା ଲାଗି ରହିଛି ଏବଂ ଏ ସମ୍ପର୍କରେ କୌଣସି ମତବାଦକୁ ସମର୍ଥନ କିମ୍ବା ପ୍ରତ୍ୟାଖ୍ୟାନ କରିବା ପାଇଁ ଆମ ନିକଟରେ କିଛି ନିର୍ଦ୍ଦିିଷ୍ଟ ପ୍ରମାଣ ନାହିଁ। ଏହି ଚିର-ରହସ୍ୟମୟ ପ୍ରସଙ୍ଗ ଉପରେ ଆଲୋକପାତ କରିବା ନିମନ୍ତେ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ୨୦୦୯ ମସିହାରେ ଚନ୍ଦ୍ରକୁ ଏକ ଯାନ ‘ଲୁନାର କ୍ରେଟର୍‌ ଅବଜରଭେଶନ ଆଣ୍ଡ ସ୍ପେଶିଙ୍ଗ ସାଟେଲାଇଟ (LCROSS)’ ପ୍ରେରଣ କରିଥିଲା ଯାହା ଚନ୍ଦ୍ରପୃଷ୍ଠରେ ଅବତରଣ କରି ସେଠାରେ ଜଳର ଉପସ୍ଥିତି ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୃଥିବୀକୁ ପ୍ରେରଣ କରିଛି। ଏହି ଉପଗ୍ରହର ସନ୍ଧାନ ଅନୁଯାୟୀ, ଚନ୍ଦ୍ର ପୂର୍ବରୁ ବିଶ୍ୱାସ କରାଯାଉଥିବା ଏକ ଶୁଷ୍କ, ଧୂଳିଆ ମରୁଭୂମି ନୁହେଁ; ବରଂ ଏହାର ସ୍ଥାୟୀ ରୂପେ ଅନ୍ଧକାରାଚ୍ଛନ୍ନ ଅଞ୍ଚଳର କିଛି ଗଭୀର ଗହ୍ବର ତଳେ ପ୍ରଚୁର ଜଳ ବରଫ ଆକାରରେ ଜମାଟ ବାନ୍ଧି ରହିଛି। ଏହା ଆଗାମୀ ଦିନରେ ଚନ୍ଦ୍ର ଅଭିଯାନରେ ମହାକାଶଚାରୀମାନଙ୍କ ନିମନ୍ତେ ଏକ ମରୁ ଉଦ୍ୟାନ ସଦୃଶ ସାବିତ ହୋଇ ପାନୀୟ ଜଳର ଚାହିଦା ପୂରଣ କରିବା ସହିତ ରକେଟ ଇନ୍ଧନ ନିର୍ମାଣରେ ସହାୟକ ହେବ ବୋଲି ବୈଜ୍ଞାନିକମାନେ ଆଶା ବାନ୍ଧିଛନ୍ତି।
ତେବେ ପ୍ରଶ୍ନ ଉଠେ : ଚନ୍ଦ୍ରପୃଷ୍ଠରେ ଏବେ ତରଳ ଜଳରାଶି ଅଛି କି ? ଉତ୍ତର: ସମ୍ଭବତଃ ‘ନାହିଁ’। ତେବେ ଅତୀତରେ ପ୍ରାୟ ୩୫୦ ରୁ ୪୦୦ କୋଟି ବର୍ଷ ପୂର୍ବେ ଚନ୍ଦ୍ରର ଜଳୀୟବାଷ୍ପ ଭରା ଏକ ମୋଟା ବାୟୁମଣ୍ଡଳ ଥିଲା ଏବଂ ଏହି ଅବସ୍ଥାରେ ଚନ୍ଦ୍ରପୃଷ୍ଠରେ ପ୍ରଚୁର ପରିମାଣର ତରଳ ଜଳରାଶି ଉପସ୍ଥିତ ଥିବାର ଅନୁମାନ କରାଯାଏ। ଏବେ ହୁଏତ ଏହା ଚନ୍ଦ୍ରପୃଷ୍ଠର ପ୍ରଚଣ୍ଡ ତାପମାତ୍ରାରେ ସମ୍ପୂର୍ଣ୍ଣ ବାଷ୍ପ ହୋଇ ଗଲାଣି କିମ୍ବା ଏହାର ସ୍ଥାୟୀ ଅନ୍ଧକାରାଚ୍ଛନ୍ନ ଅଞ୍ଚଳର କିଛି ଗଭୀର ଗହ୍ବର ତଳର ଉଷୁମ ଓ ଚାପଯୁକ୍ତ ଅବସ୍ଥାରେ ଜଳ ତରଳ ରୂପରେ ଗଚ୍ଛିତ ହୋଇ ରହିଥିବାର ଅନୁମାନ କରାଯାଏ।

ନିକୁଞ୍ଜ ବିହାରୀ ସାହୁ

-ଏଜୁକେଶନ ଅଫିସର୍‌, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri