ବେଧଡକ ବାଲି ଉଠାଣ: ଆଗକୁ ଘନୀଭୂତ ହେବ ଜଳ ସଙ୍କଟ

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତରେ ପାଇପ ଜଳ ଯୋଗାଣରେ ବାଧାପ୍ରାପ୍ତ ସୃଷ୍ଟି ହୋଇଛି। ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ପଠା ପାନୀୟଜଳ ପ୍ରକଳ୍ପର ଗ୍ୟାଲେରୀ ଉପରୁ ବେଧଡକ ଭାବେ ବାଲି ଉଠାଣ ଯୋଗୁ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଏନେଇ ପଞ୍ଚାୟତ ମାସିକ ବୈଠକରେ ପାରିତ ହୋଇ ବଲାଙ୍ଗୀର ଜିଲାପାଳ ଏବଂ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଛି। ଏହା ସତ୍ତ୍ୱେ ବାଲି ଉଠାଣ ବନ୍ଦ ହୋଇ ନ ଥିବାରୁ ଆଗକୁ ଜଳ ସଙ୍କଟ ଘନୀଭୂତ ହେବ ଓ ପିଇବା ପାଣିର ହାହାକାର ପରିସ୍ଥିତି ଦେଖାଦେବା ଅଭିଯୋଗ ହୋଇଛି।
ପ୍ରକାଶଯେ, ଯୋଗୀସର୍ଡା,ଗୁର୍ଜିଭଟା, କେଉଁଟିପାଲି, ଛଲବାହାଲ, ମାହାରପାଲି, କରନପାଲି ଆଦି ୬ଗ୍ରାମକୁ ନେଇ ଯୋଗୀସର୍ଡା ପଞ୍ଚାୟତ ଗଠିତ। ପଞ୍ଚାୟତ ସମସ୍ତ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ପଠାରେ ୨ଟି ପାଣି ଟାଙ୍କି(ଇନଟେକ ୱେଲ) ବସିଛି। ୬ଟି ଗ୍ରାମର ୧୦ ହଜାର ଲୋକଙ୍କୁ ପ୍ରତ୍ୟେହ ଏଠାରୁ ପାନୀୟ ଜଳ ଯୋଗାଣ କରାଯାଉଛି। ହେଲେ ସୁକତେଲ ନଦୀ ପଠାର ଇନଟେକ ୱେଲ ବସିଥିବା ଗ୍ୟାଲେରୀ ଉପରୁ ନିୟମିତ ଭାବେ ମେସିନ ସାହାଯ୍ୟରେ ହାଇୱା ଯୋଗେ ବାଲି ଉଠାଣ କରି ଜିଲା ତଥା ଜିଲା ବାହାରକୁ ଚାଲାଣ ହେଉଛି। ଏହି ସ୍ଥାନରୁ ବାଲି ଉଠାଣ ଯୋଗୁ ଜଳସ୍ରୋତ ବନ୍ଦ ହୋଇଯାଉଛି। ପଞ୍ଚାୟତବାସୀଙ୍କ ପ୍ରକଳ୍ପରୁ ଜଳଯୋଗଣରେ ଅନିୟମିତା ଦେଖାଦେଉଛି। ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇଥିବାବେଳେ ପାନୀୟଜଳର ଚାହିଦା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ପ୍ରକଳ୍ପରେ ଜଳ ସଙ୍କଟ ଦେଖା ଦେଇଥିବାରୁ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ପଞ୍ଚାୟତ ପକ୍ଷରୁ ଉପରୋକ୍ତ ସମସ୍ୟା ନେଇ ଜିଲାପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ଛେଲବାହାଲ ପାନୀୟଜଳ ପ୍ରକଳ୍ପ ନଦୀ ଶଯ୍ୟାରୁ ବାଲି ଉଠାଣରେ ରୋକ ଲଗା ନ ଯିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହାଛଡା ଦୈନିକ ବହୁମାତ୍ରାରେ ହାଇୱା ଚଳାଚଳ ଯୋଗୁ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି। ସରପଞ୍ଚ ବିଜୁଳି ପଧାନ କହନ୍ତି, ପିଇବା ପାଣି ସଙ୍କଟ ଗାଁ ଗାଁରେ ଦେଖାଦେଇଛି। ଏହାର ସମାଧାନ ପାଇଁ ଗତ ଫେବୃଆରୀ ମାସର ମାସିକ ବୈଠକରେ ସଭ୍ୟମାନେ ଅଭିଯୋଗ ଅସନ୍ତୋଷ ଜାହିର କରିଥିଲେ। ଉକ୍ତ ବୈଠକରେ ଏକ ପ୍ରସ୍ତାବ ପାରିତ କରି ଜିଲା ପ୍ରଶାସନକୁ ଦିଆଯାଇଛି। ହେଲେ ପଦକ୍ଷେପ ନିଆଯାଇ ନ ଥିବାରୁ ସମସ୍ୟା ବଢିଚାଲିଥିବା ସେ କହିଥିଲେ।

Dharitri – Odisha’s No.1 Odia Daily

Share