ଉଷ୍ମ ଜଳବାୟୁ, ଚିନ୍ତାରେ କୋବିଚାଷୀ

ରସୁଲପୁର,୨୬ା୧୦(ରଞ୍ଜିତ ରାଉତ):ରସୁଲପୁର ବ୍ଲକ ଅଞ୍ଚଳ ଏକ କୃଷି ପ୍ରଧାନ ବ୍ଲକ ଭାବେ ପରିଚିତ। ପରିବା ଚାଷ ପାଇଁ ରାଜ୍ୟରେ ଏହି ଅଞ୍ଚଳର ସ୍ବତନ୍ତ୍ର ପରିଚୟ ରହିଛି। ବାରବାଟୀ ଅଞ୍ଚଳରୁ ଉତ୍ପାଦିତ କୋବି ବ୍ୟବସାୟ ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ପରିବହନ ହୋଇଥାଏ। ସେହି ଅନୁଯାୟୀ ଚାଷୀ ରବି ଋତୁରେ କୋବି ଫସଲ ଆଗୁଆ ଚାଷ କରିଥାନ୍ତି। ଏଥର କିନ୍ତୁ କୋବି ଚାଷୀଙ୍କୁ ନିରାଶ କରିଛି ଉଷ୍ମ ଜଳବାୟୁ। ଚଳିତ ଋତୁର ଜଳବାୟୁ କୋବି ପାଇଁ ଅନୁକୂଳ ନୁହେଁ ବୋଲି ଚାଷୀ ମତ ରଖିଛନ୍ତି। କୋବି ଚାଷ ପାଇଁ ବାୟୁମଣ୍ଡଳରେ ଦିନର ତାପମାତ୍ରା ୩୦ ଡିଗ୍ରୀରୁ କମ୍‌ ରହିବା ଉଚିତ। ଏଥର କିନ୍ତୁ ସ୍ଥିତି ଭିନ୍ନ ରହିଛି। ବାୟୁମଣ୍ଡଳର ତାପମାତ୍ରା ଏବେ ୩୫ଡିଗ୍ରୀ ଉପରେ। ଏଭଳି ସ୍ଥିତିରେ କୋବି ଗଛ ବଢ଼ି ପାରୁନାହିଁ। ରାତିରେ ଆଶାନୁରୂପକ କାକର ଓ ଥଣ୍ଡା ଅନୁଭୂତ ହେଉ ନ ଥିବାରୁ କୋବି ଫୁଲ ଠିକ୍‌ରେ ପ୍ରସ୍ଫୁଟିତ ହୋଇପାରିବା ସମ୍ଭାବନା କମିଯାଇଛି। କୋବି ଚାରା ଲଗାଇବାର ୨ ମାସ ମଧ୍ୟରେ କୋବି ଅମଳ କରିବାକୁ ଚାଷୀ ଲକ୍ଷ୍ୟ ରଖିଥାନ୍ତି। ତେବେ ଉଷ୍ମ ପାଣିପାଗ ଯୋଗୁ କୋବି ଉପତ୍ାଦନ ଠିକ୍‌ ସମୟରେ ହେବା ନେଇ ଆଶଙ୍କା ଉପୁଜିଛି। ସେପ୍ଟେମ୍ବର ଶେଷ ଆଡ଼କୁ କୋବି ଚାଷ କରିଥିବା ଚାଷୀ ନଭେମ୍ବର ଶେଷ ପର୍ଯ୍ୟାୟରେ ଅମଳ କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥର ତାହା ସମ୍ଭବପର ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୋବି ଚାଷୀ କ୍ଷତି ସହିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
ପ୍ରକାଶଥାଉ କି, ଏହି ବ୍ଲକ ଅଞ୍ଚଳର ପ୍ରାୟ ୧୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ଆଗୁଆ କୋବି ଚାଷ ହୋଇଛି। ବ୍ଲକର ଦକ୍ଷିଣ ପଶ୍ଚିମାଞ୍ଚଳ, ଅରିତିଆ, ବାହାବଳପୁର, କଲଣ, ଜାବରା, ମାନପୁର, ସିଂହାପୁର, ବ୍ରାହ୍ମଣବାଡ଼, ବଡ଼କଇଞ୍ଚତ୍, ନୂଆହାଟ, ଟାକୁଆଠେଙ୍ଗ, ଶ୍ରୀବନ୍ତପୁର, ଗୋପୀନାଥପୁର, ଢିଅକଇଞ୍ଚତ୍, ନଗୁଆଁ, ନାଉପାଳ, ଭଗୀରଥପୁର, ଭୋଟକା, ମୁଗୁପାଳ ଓ ବାରବାଟୀ ଆଦି ବହୁ ଗ୍ରାମରେ କୋବି ଚାଷ କରାଯାଉଛି। ଗୋଟିଏ ଏକର କୋବି କ୍ଷେତରେ ୧୨ରୁ୧୩ ହଜାର କୋବି ଚାରାରୋପଣ କରାଯାଉଛି। ପ୍ରତ୍ୟେକ ଚାରା କୋବି ହେବା ପର୍ଯ୍ୟନ୍ତ ଅନୂ୍ୟନ ୬ରୁ୭ଟଙ୍କା ଖର୍ଚ୍ଚ ହେଉଛି। ସେହି ଆଧାରରେ ଗୋଟିଏ ଏକରରେ ୭୫ରୁ୮୦ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏହାପରେ ଅମଳ, ପରିବହନ ଖର୍ଚ୍ଚ ରହିଛି। ସବୁକୁ ଦୃଷ୍ଟିରେ ରଖିଲେ ଗୋଟିଏ କୋବିକୁ ଚାଷୀମାନେ ଅନ୍ୟୁନ ୧୫ ଟଙ୍କାରୁ ଅଧିକ ଦରରେ ବିକ୍ରି ନ କରିଲେ ଲାଭବାନ ହୋଇପାରିବେ ନାହିଁ। ତେବେ ଏଥର ସେଭଳି ସ୍ଥିତି ରହିଥିବା ଭଳି ମନେ ହେଉନାହିଁ। କୋବିର ଆକାର ସେତିକି ବଡ଼ ହୋଇପାରିବ ଯେ, ଯାହାକୁ ଚାଷୀ ୧୫ରୁ ଊର୍ଦ୍ଧ୍ୱ ଟଙ୍କାରେ ବିକ୍ରି କରିପାରିବେ ବୋଲି ଅଗ୍ରଣୀ କୋବି ଚାଷୀମାନଙ୍କ ମହଲରେ ଆଲୋଚନା ହେଉଛି। ତେବେ ଏଥିପ୍ରତି ସକରାର ଦୃଷ୍ଟି ଦେବା ସହ ପରିବା ମଣ୍ଡି ଜରିଆରେ ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟକୁ ଉଚିତ୍‌ ମୂଲ୍ୟରେ କ୍ରୟ କରନ୍ତୁ। ନଚେତ କ୍ଷତିଗ୍ରସ୍ତ କୋବି ଚାଷୀଙ୍କୁ ସରକାରୀ ସବିସିଡ୍‌ ଭାବରେ ଆର୍ଥତ୍କ ପ୍ରୋତ୍ସାହନ ପ୍ରଦାନ କରନ୍ତୁ ବୋଲି ଚାଷୀ ମହଲରେ ଦାବି ହୋଇଛି।