ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ କରିଥିଲେ। ଅଭିଯୋଗକ୍ରମେ ପୂର୍ବାହ୍ନରେ ଆବାସ ଯୋଜନା ହିତାଧିକାରୀଙ୍କ କୌଣସି ସମସ୍ୟାକୁ ନେଇ ୱାର୍ଡ ସଭ୍ୟ ଚନ୍ଦନ କୁମାର ସାହୁ ଏନ୍ଏସି କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଆଲୋଚନା ସମୟରେ କର୍ମଚାରୀଙ୍କ ମଧ୍ୟରେ ତାଙ୍କର ବଚସା ହୋଇଥିଲା। କିଛିସମୟ ପରେ ଅଫିସ ସମ୍ମୁଖ ଦ୍ବାରର କାଚ ଗେଟ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା। ଏନ୍ଏସି କର୍ମଚାରୀମାନେ ଏହି ଗେଟ ଭାଙ୍ଗିବା ପଛରେ ୱାର୍ଡ ସଭ୍ୟ ସାହୁଙ୍କ ହାତ ଥିବା କହିଥିଲେ। ପରେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ କରି କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିଥିଲେ। ଏ ସମ୍ପର୍କରେ ଓ୍ବାର୍ଡ ସଭ୍ୟ ସାହୁଙ୍କୁ ପଚାରିବାରୁ ଗେଟ୍ଟି ଅତି ନିମ୍ନମାନର ହୋଇଥିବାରୁ ଭାଙ୍ଗିଯାଇଛି। ଏଥିରେ ମୋର କୌଣସି ହାତ ନ ଥିବା ସେ କହିଥିଲେ।

