ବୃଦ୍ଧାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ଚାଲିଗଲା ଜୀବନ

ମୋରଡ଼ା,୨୯ା୬(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଥାନା ସାନମୁଣ୍ଢାବଣି ଗ୍ରାମର ଇନ୍ଦ ମାର୍ଣ୍ଡି(୬୫)।

ସୂଚନା ମୁତାବକ, ଲଘୁଚାପ ଫଳରେ ଶନିବାର ରାତିଠାରୁ ଲଗାଣ ବର୍ଷା ହେଉଥିବାରୁ ମୋରଡ଼ା ବ୍ଲକର ବିଭିନ୍ନ ଅଞ୍ଚଳ ପାଣି ଘେରରେ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ଗତକାଲି ଶନିବାର ରାତି ୯ଟାରେ ବୃଦ୍ଧା ଇନ୍ଦ ଘରେ ଶୋଇଥିବା ଅବସ୍ଥାରେ ଘର ପଛକୁ ଲାଗି ରହିଥିବା ଏକ କଚ୍ଚା ଘରର କାନ୍ଥ ଶୋଇଥିବା ଘରର କାନ୍ଥ ଉପରେ ପଡ଼ିଥିଲା। ଫଳରେ ଘର କାନ୍ଥ ଭାଙ୍ଗି ପଡ଼ି ଇନ୍ଦଙ୍କ ଉପରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ଇନ୍ଦକୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳ ୮ଟାରେ ଇନ୍ଦଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି।