ନୀଳଗିରି, ୪।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ବର ପୀଠରେ ଦର୍ଶନ ବନ୍ଦ। ଲଗାଣ ବର୍ଷାରେ ଯୋଗୁ ଦେବଗିରି ପାହାଡ଼ର ୮ଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠସ୍ଥଳି ଓ ପୂଜା ମଣ୍ଡପର ଦୀପ ଜାଳିବା ସ୍ଥାନରେ ଲହଡ଼ି ମାରୁଛି। ପାଣିର ସ୍ରୋତ ଏତେ ପ୍ରଖର ଯେ ପଥର ଖୋଲ ମଧ୍ୟରେ ଆର୍ବିଭୁତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ଭକ୍ତ ଓ ପର୍ଯ୍ୟଟକ ସ୍ପର୍ଶ ଓ ଦର୍ଶନ କରିବା ବନ୍ଦ ରଖାଯାଇଛି।
ନୀଳଗିରିରେ ଲଘୁଚାପ ବର୍ଷା ସୋମବାର ରାତ୍ରି ଠାରୁ ଲାଗିରହିଥିବା ବେଳେ ବୁଧବାର ରାତ୍ରିରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଗୁରୁବାର ନୀଳଗିରି ସହରର ବିଭିନ୍ନ ରାସ୍ତାରେ ଦୀର୍ଘ ସମୟ ଧରି ବର୍ଷା ପାଣିର ସୁଅ ଛୁଟିଥିଲା। ଏହି ଲଗାଣ ବର୍ଷା ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେଠାରେ ଛିଡା ହୋଇ ପୁର୍ବାହ୍ନରେ ଆଳତୀ ମଧ୍ୟ କରିବା କଷ୍ଟକର ହୋଇପଡ଼ିଛି। ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳୁଛି। ଏପରି ସମୟରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚଲିଙ୍ଗେଶ୍ବର ଶୈବପୀଠରେ ଅର୍ନିଦ୍ଦିଷ୍ଟ କାଳ ଯାଏ ଝରଣା ଭିତରେ ପଞ୍ଚଲିଙ୍ଗ ସ୍ପର୍ଶ ବନ୍ଦ ରଖାଯାଇଥିବା ଜଣାପଡ଼ିଛି।
କହିରଖୁଛୁ, ଦେବଗିରି ପର୍ବତ ମାଳାର ଅଂଶବିଶେଷର ଏକ ଚିରସ୍ରୋତା ଝରଣାର ପଥର ଖୋଲ ମଧ୍ୟରେ ଆର୍ବିଭୂତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ବାବା ପଞ୍ଚଲିଙ୍ଗେଶ୍ୱର ନାମରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଆସୁଛନ୍ତି । ଏଠାରେ ନୀର ଶଯ୍ୟାରେ ବିଜେ ପାଞ୍ଚ ଲିଙ୍ଗଙ୍କୁ ସ୍ପର୍ଶ କରି ସାନିଧ୍ୟ ଲାଭ କରିବାର ସୁଯୋଗ ମିଳିଥାଏ। ପାଞ୍ଚ ଲିଙ୍ଗଙ୍କୁ ସ୍ପର୍ଶ କରିବାର ସୁଯୋଗ ଥିବାରୁ ବିଶ୍ୱାସ ଅଛି ପାଞ୍ଚଟି ଶୈବପୀଠରେ ପୂଜା କଲେ ଯେଉଁ ପୁଣ୍ୟ ମିଳିଥାଏ ପଞ୍ଚଲିଙ୍ଗେଶ୍ୱରରେ ସମାନ ପୂଣ୍ୟ ମିଳିଥାଏ। ଏଥିଲାଗି ରାଜ୍ୟ ଏବଂ ରାଜ୍ୟ ବାହାରୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ଏବେ ପାହାଡ଼ ପାଣିରେ ବାବା ବୁଡ଼ି ଯାଇଥିବାରୁ ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବାହାରୁ ବାହାରୁ ଦର୍ଶନ କରି ଫେରୁଥିବାର ଦେଖିବାକୁ ମିଳୁଛି।