ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ ଆନ୍ଧ୍ର ସୀମାନ୍ତ ପଲାସା ଓ ଟାକେଲି ମଧ୍ୟରେ ଥିବା ନନ୍ଦିଗାଁ ନିକଟରେ କାର୍‌-ଟ୍ରକ୍‌ ମୁହଁl ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୨ ଜଣ ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ସମେତ ୪ ଜଣ ଗୁରୁତର ହାଇଥିବା ଜଣାପଡୁଛି। ମୃତ ୨ଜଣ ହେଲେ ଡବ୍ଲ୍ୟୁ. ଡାଲେଆ(୪୦) ଓ ଡବ୍ଲ୍ୟୁ. ମଇନା(୪୫) ଏବଂ ଗୁରୁତର ହେଲେ ଡବ୍ଲ୍ୟୁ. ମୁତିଆମା(୩୮), ଡବ୍ଲ୍ୟୁ. ନୀଳାଦ୍ରି(୨୫), ଡି. ରାମା ରାଓ(୩୦) , ବି. ଚନ୍ଦ୍ରମଣି (୩୩), ଏବଂ ଡ୍ରାଇଭର ପି. ଏଙ୍କେଟେସ (୪୦)।

ସୂଚନାଯୋଗ୍ୟ, ପାତିସୁନପୁର ଗ୍ରାମର ଡବ୍ଲ୍ୟୁ. ଡାଲେଆଙ୍କ ଦେହ ଅସୁସ୍ଥ ଥିବା ଯୋଗୁ୍‌ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆ ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତର ଅନ୍ୟତ୍ର ନେବା ପାଇଁ ପରାମର୍ଶ ଦେଇଥିଲେ। ଏଣୁ ଏକ ଗାଡ଼ି ଭଡା କରି ଡବ୍ଲ୍ୟୁ. ଡାଲେଆଙ୍କୁ ଧରି ଗୋଟିଏ ପରିବାରର ୫ ଜଣ ମିଶି ଏକ ଗାଡ଼ି କରି ବିଶାଖାପାଟଣା ସ୍ଥିତ ଏକ ଘରୋଇ ମେଡିକାଲକୁ ଯିବା ବେଳେ ପଲାସା ଓ ଟାକେଲି ମଧ୍ୟରେ ଥିବା ନନ୍ଦିଗାଁ ନିକଟରେ କାର୍‌-ଟ୍ରକ୍‌ ଧକ୍କା ହୋଇଥିଲା। ଫଳରେ ଡବ୍ଲ୍ୟୁ. ଡାଲେଆ, ଡବ୍ଲ୍ୟୁ. ମଇନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। କୌଣସି ସୂତ୍ରରୁ ଖବର ପାଇ ଟାକେଲି ପୋଲିସ କାର୍‌ ସହ ଟ୍ରକ୍‌କୁ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି।

Dharitri –Odisha’s No.1 Trusted Odia Daily

Share