ଓଡ଼ିଶା କ୍ୟାଡର ୭୩ ଆଇଏଏସ୍‌, ଆଇପିଏସ୍‌, ଆଇଆର୍‌ଏସ୍‌ ଅଫିସରଙ୍କୁ ଭର୍ଚୁଆଲ ତାଲିମ

ଭୁବନେଶ୍ୱର,୧୫ା୧(ବ୍ୟୁରୋ): ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାର ପରିଚାଳନା ନିମନ୍ତେ ଓଡ଼ିଶାରୁ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌), ଭାରତୀୟ ପୋଲିସ ସେବା (ଆଇପିଏସ୍‌) ଏବଂ ଭାରତୀୟ ରାଜସ୍ବ ସେବା (ଆଇଆରଏସ୍‌) ବର୍ଗରୁ ମୋଟ୍‌ ୭୩ଜଣ ବରିଷ୍ଠ ଅଧିକାରୀଙ୍କୁ ଭାରତର ନିର୍ବାଚନ କମିଶନ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କୁ ଶୁକ୍ରବାର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଭର୍ଚୁଆଲରେ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଓ ତାଙ୍କ ସହଯୋଗୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଭର୍ଚୁଆଲ୍‌ ତାଲିମ ପ୍ରଦାନ କରିଛନ୍ତି।
ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରାଙ୍କ ସହ ଅନ୍ୟ ଦୁଇ ସହଯୋଗୀ ନିର୍ବାଚନ କମିଶନର ରାଜୀବ କୁମାର ଓ ଅନୁପ ଚନ୍ଦ୍ର ପାଣ୍ଡେ ଉପସ୍ଥିତ ରହି ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ସମ୍ପର୍କିତ ବିସ୍ତୃତ ତାଲିମ ପ୍ରଦାନ କରିଛନ୍ତି। ବିଭିନ୍ନ ରାଜ୍ୟର ନିର୍ବାଚନ ପରିଚାଳନା ବେଳେ କିପରି ଅବାଧ, ସ୍ବଚ୍ଛ ଏବଂ ନିରାପଦ ହୋଇପାରିବ ସେ ସମ୍ପର୍କରେ ନିର୍ବାଚନ କମିଶନର ଗୁରୁତ୍ୱାରୋପ କରିଛନ୍ତି। କୋଭିଡ୍‌ ଗାଇଡ୍‌ଲାଇନ ପାଳନ ପୂର୍ବକ ନିରପେକ୍ଷ ଓ ନିରାପଦ ନିର୍ବାଚନ କିପରି କରାଯାଇପାରିବ, ତାହା ଉପରେ ବିଶେଷ ଧ୍ୟାନ ଦେବାକୁ ନବନିଯୁକ୍ତ ପର୍ଯ୍ୟବେକ୍ଷକମାନଙ୍କୁ ତାଲିମ ଦିଆଯାଇଛି। ନିର୍ବାଚନ ଆୟୋଗଙ୍କ ସଚିବ ଉମେଶ ସିହ୍ନା ପର୍ଯ୍ୟବେକ୍ଷକମାନଙ୍କ ଅବଗତି ନିମନ୍ତେ ପରିଚାଳନା ସମ୍ପର୍କିତ ଏକ ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ।