ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛନ୍ତି। ବିରାଟ ପ୍ରାୟ ୧୫ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟକୁ ଫେରୁଥିବା ବେଳେ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।
ବିସିସିଆଇର ନିୟମ ଅନୁଯାୟୀ, ଘରୋଇ କ୍ରିକେଟରେ ଜଣେ ଖେଳାଳିଙ୍କ ମ୍ୟାଚ୍ ଫି’ ତାଙ୍କର ଅଭିଜ୍ଞତା ବା ଲିଷ୍ଟ-ଏ ମ୍ୟାଚ୍ ସଂଖ୍ୟା ଉପରେ ନିର୍ଭର କରେ। ଯେଉଁ ଖେଳାଳିମାନେ ୪୦ରୁ ଅଧିକ ଲିଷ୍ଟ-ଏ ମ୍ୟାଚ୍ ଖେଳିଛନ୍ତି, ସେମାନଙ୍କୁ ପ୍ରତିଦିନ ୬୦,୦୦୦ ଟଙ୍କା ପ୍ରଦାନ କରାଯାଏ। ଉଭୟ ରୋହିତ ଏବଂ ବିରାଟଙ୍କର ବହୁ ଅଧିକ ଅଭିଜ୍ଞତା ଥିବାରୁ ସେମାନେ ସର୍ବୋଚ୍ଚ ପେ-ବ୍ରାକେଟରେ ରହିବେ ଏବଂ ପ୍ରତି ମ୍ୟାଚ୍ ପାଇଁ ୬୦,୦୦୦ ଟଙ୍କା ପାଇବେ।
ଅନ୍ୟପଟେ ବେଙ୍ଗାଲୁରୁର ପ୍ରସିଦ୍ଧ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବାକୁ ଥିବା ସମସ୍ତ ବିଜୟ ହଜାରେ ମ୍ୟାଚ୍କୁ ବର୍ତ୍ତମାନ BCCI ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ସ୍ଥାନାନ୍ତର କରାଯାଇଛି। କର୍ଣ୍ଣାଟକ ସରକାର ସୁରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣକୁ ନେଇ ଚିନ୍ତା ପ୍ରକଟ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ପୋଲିସ କମିଶନର ଏବଂ ଅଗ୍ନିଶମ ବିଭାଗର ଏକ କମିଟି ଷ୍ଟାଡିୟମ ଯାଞ୍ଚ କରିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାରେ କିଛି ତ୍ରୁଟି ଥିବା ଦର୍ଶାଇଥିଲେ। ବେଙ୍ଗାଲୁରୁରେ ହେବାକୁ ଥିବା ସମସ୍ତ ମ୍ୟାଚ୍ ବର୍ତ୍ତମାନ ବିନା ଦର୍ଶକରେ ବନ୍ଦ ଦ୍ୱାର ମଧ୍ୟରେ ଖେଳାଯିବ। ପ୍ରଶଂସକମାନେ ନିଜ ପ୍ରିୟ ତାରକାଙ୍କୁ ଷ୍ଟାଡିୟମରେ ଦେଖିବାର ସୁଯୋଗ ହରାଇଛନ୍ତି।


