ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ: ବିଡିଓଙ୍କ ନିକଟରେ ଅଭିଯୋଗ କରି କହିଲେ…

କେସିଙ୍ଗା,୨୫ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ କଛାର ପଦର ଗ୍ରାମରେ ଦୀର୍ଘ ମାସ ହେଲାଣି ନିମ୍ନମାନର ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣକୁ ନେଇ ବିଡିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିବାର ଜଣାପଡ଼ିଛି। ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ରଟି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଙ୍ଗନଓ୍ବାଡ଼ି କର୍ମୀ ଶିକ୍ଷାଦାନ ଦେଇ ଆସୁଛନ୍ତି। ସୂଚନାଫଳକର ଲେଖା ଅନୁସାରେ ଗତ ଡିସେମ୍ବର ୨୦୨୪ରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ତାହା ଶେଷ ହୋଇନାହିଁ। ବର୍ଷ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। କିନ୍ତୁ ତଦାରଖ କରିବାକୁ ଯନ୍ତ୍ରୀଙ୍କ ମଧ୍ୟ ଦେଖାନାହାନ୍ତି। ଏହାକୁ ନେଇ କଛାର ପଦରବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି।

ପ୍ରକାଶଯୋଗ୍ୟ, ୯.୧୨.୨୪ରେ ଉକ୍ତ ଯୋଜନାଟି କେତେ ଟଙ୍କା ବ୍ୟୟ ଅଟକଳରେ ନୂଆ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି ତାହା ସୂଚନାଫଳକରେ ଉଲ୍ଲେଖ କରାଯାଇନାହିଁ। ଏହି କେନ୍ଦ୍ର ଚତୁଃପାର୍ଶ୍ୱରେ ନିର୍ମାଣ କରାଯାଇଥିବା ଫାଉଣ୍ଡେସନ ଭାଙ୍ଗି ଫାଟ ଦେଖା ଦେଲାଣି। ଫାଉଣ୍ଡେଶନ କରିବା ପୂର୍ବରୁ ଦାୟିତ୍ୱ ଥିବା ଜେଇ ବାବୁଙ୍କ ଅଣଦେଖା ଯୋଗୁ ପ୍ରଥମେ ଇଟାରେ ଫାଉଣ୍ଡେଶନ ଉଠାଗଲା ପରେ ବିମ୍‌ ପଡ଼ିବାରୁ ତଳ ଅଂଶରେ ଥିବା ଇଟା ବର୍ଷା ପାଣିରେ ଓଜନ ସମ୍ଭାଳି ନ ପାରି ବିମ୍‌ ତଳେ ଫାଟ ଦେଖାଦେଇଛି। ଗୃହଟିରେ ଯଦି ଛାତ ପକାଇ ସମ୍ପୂର୍ଣ୍ଣ କଲେ ଗୃହଟି ସମ୍ପୂର୍ଣ୍ଣ ଭାଙ୍ଗିଯିବାର ସମ୍ଭାବନା ରହିଛି।
ଦୀର୍ଘ ୩୦ ବର୍ଷ ହେଲା ଉକ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାଦାନ ଦେବା କ୍ଷେତ୍ରରେ ଘୋର ସମସ୍ୟା ଦେଖାଦେଉଛି। ନିମ୍ନମାନର ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ବିଳମ୍ବକୁ ନେଇ କଛାର ପଦରବାସୀଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇବା ସହ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଦାବି କରୁଛନ୍ତି। ଦାୟିତ୍ୱ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଣଦେଖା ଯୋଗୁ ଗ୍ରାମବାସୀଙ୍କ ମନରେ ତୀବ୍ର ଆଲୋଚନା ହେଉଛି। ବାଲସି ପଞ୍ଚାୟତରେ ଦାୟିତ୍ୱ ଥିବା ଯନ୍ତ୍ରୀଙ୍କ ପ୍ରାୟ କାମରେ ନିମ୍ନମାନର ଓ ଦୁର୍ନୀତି ହେଉଥିବାରୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ, କ’ଣ ପାଇଁ ଏହି ନିର୍ମାଣ କାର୍ଯ୍ୟବେଳେ ଫାଉଣ୍ଡେଶନ ଭାଙ୍ଗିଗଲା, କାହିଁକି ସମ୍ପୂର୍ଣ୍ଣ ହୋଇନାହିଁ ତାହା ମୁଁ ଯାଇ ତଦାରଖ କରିବି ବୋଲି ପ୍ରକାଶ କରିଛନ୍ତି।

Share