ଖଡ଼ିଆଳ,୧୪।୧ (ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ୍ ଦାବ୍ରି ଗ୍ରାମ ପଞ୍ଚାୟତର ଭାଲୁଡୁଙ୍ଗରି ଗ୍ରାମବାସୀ ୨ମାସ ହେଲା ଅନ୍ଧାରରେ ରହିଛନ୍ତି। ଏଠାରେ ବସିଥିବା ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ ଏହି ସମସ୍ୟା ସୃଷ୍ଟି ହୋଇଛି। ବିଦ୍ୟୁତ୍ ସଂଯୋଗ ନ ଥିବାରୁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗକୁ ମାଟ୍ରିକ ଓ ଯୁକ୍ତ୨ ପରୀକ୍ଷା ଥିବାବେଳେ ଛାତ୍ରୀଛାତ୍ର ଠିକ୍ ଭାବରେ ପଢ଼ିପାରୁନାହାନ୍ତି। ଲୋକେ ମୋବାଇଲ ଚାର୍ଜ ପାଇଁ ଅନ୍ୟ ଗ୍ରାମକୁ ଯିବାପାଇଁ ପଡୁଛି। ଏପରି କି ଗାଁକୁ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗ ଅଫିସ ଖଡ଼ିଆଳ ଆସୁଥିଲେ ବି ବିଭାଗୀୟ ଅଧିକାରୀଙ୍କୁ ଭେଟିପାରୁ ନାହାନ୍ତି। ଲୋକଙ୍କ କହିବା ଅନୁଯାୟୀ ସେମାନେ ଠିକ୍ ସମୟରେ ବିଦ୍ୟୁତ୍ ବିଲ୍ ପୈଠ କରିଥିଲେ ମଧ୍ୟ ଅନ୍ୟ କେତେଜଣ ଉପଭୋକ୍ତା ବିଲ୍ ଦେଇନାହାନ୍ତି। ନିର୍ଦ୍ଦିଷ୍ଟ କେତେଜଣଙ୍କ ପାଇଁ ସେମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ଅତିଶୀଘ୍ର ବିଦ୍ୟୁତ୍ ସଂଯୋଗ ନ ଦେଲେ ସେମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।


