ଜୟପୁର,୩୧ା୭(ପବନ ପାଣିଗ୍ରାହୀ): ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସ ଭରପୂର ହୋଇ ରହିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଇଲାକାରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳୁଛି। ଏମିତି ଏକ ଅନ୍ଧବିଶ୍ୱାସକୁ ଦେଖିବାକୁ ମିଳିଛି କୋରାପୁଟ ଜିଲା ରାଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ ପାତ୍ରଗୁଡ଼ା ଗାଁରେ। ଏହି ଗାଁରେ ଦୁଇଟି କାଉର ମିଳନ ଦେଖିବା ଦୁଇ ଯୁବକଙ୍କ ପାଇଁ ମହାଙ୍ଗା ପଡ଼ିଛି। ଯାହାକି ଆଦିବାସୀ ପରମ୍ପରା କଟକଣାର ଶିକାର ହୋଇଛନ୍ତି।
ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପ୍ରଥମେ ଗାଆଁରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରି ମୃତ୍ୟୁ ପରେ ଯେପରି ରୀତିନୀତି ଅନୁସାରେ ଶବ ସତ୍କାର କରାଯାଏ, ସେହି ପ୍ରକ୍ରିୟାରେ ମୃତଦେହ ବଦଳରେ ପ୍ରତିକାତ୍ମକ କୁଶପୁତ୍ତଳିକା କୋକେଇରେ ନେଇ ଯାଉଥିବା ଦୃଶ୍ୟ ଏବେ ଭାଇରାଲ ହୋଇ ଜୟପୁର ସହରଠାରୁ ମାତ୍ର ୧୦କିମି ଦୂରରେ ଏପରି ଚର୍ଚ୍ଚା ଜୋର୍ ଧରିଛି। ଏପରିକି ଗାଁ ଲୋକେ ଯାଇ ଶବ ସତ୍କାର କରି ଘରକୁ ଫେରିଛନ୍ତି। ଶୁଦ୍ଧିକ୍ରିୟା ପରେ ପରିବାର ଓ ସମ୍ପର୍କୀୟ ପିତା ଖାଇଥିବା ସୂଚନା ମିଳିଛି। ପରେ ବାହାରେ ଥିବା ଦୁଇ ଯୁବକଙ୍କୁ ଘରକୁ ଅଣାଯାଇଛି। ହେଲେ ଆଦିବାସୀ ସମ୍ପ୍ରଦାୟରେ ବିଶ୍ୱାସ ଯେ, ଦୁଇ କାଉଙ୍କ ମିଳନ ଦେଖିଲେ ଅତ୍ୟନ୍ତ ଅଶୁଭ, ଏପରିକି ଏପରି ଦୃଶ୍ୟ ଦେଖିଥିବା ଲୋକର କାଳେ ମୃତ୍ୟୁ ହୋଇଯାଏ।