କେସିଙ୍ଗା,୨୩ା୯(ତୁମେଶ୍ବର ସାହୁ)- ମୃତ କ୍ଷୀରବତୀ ସାହୁଙ୍କ ହତ୍ୟାକାରୀଙ୍କୁ ଗିରଫ ଦାବିରେ ମଙ୍ଗଳବାର ଗ୍ରାମବାସୀ କେସିଙ୍ଗା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲା କେସିଙ୍ଗା ଥାନା ଭମରମାଲ ଗ୍ରାମର ରୋମାଞ୍ଚଳ ସାହୁଙ୍କ ପୁତ୍ର ଜଗନ୍ନାଥ ସାହୁ ୨୦୨୩ ମସିହାରେ କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ବାଞ୍ଜିପଦର (ସାପଲହରା) ଗ୍ରାମର କୌତୁକ ସାହୁଙ୍କ କନ୍ୟା କ୍ଷୀରବତୀଙ୍କୁ ବିବାହ କରିଥିଲେ। କିଛିଦିନ ଭଲରେ କଟିବା ପରେ ଅଧିକ ଯୌତୁକ ଦାବିରେ କ୍ଷୀରବତୀଙ୍କ ଉପରେ ନିର୍ଯାତନା ଆରମ୍ଭ ହୋଇଥିଲା। ଏପରିସ୍ଥଳେ ଗତ ୧୦ ତାରିଖରେ ଝିଅକୁ ବିଷ ପିଆଇ ମାରିଦେଇଥିବା ନେଇ ତାଙ୍କ ବାପା କୌତୁକ କେସିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି କ୍ଷୀରବତୀଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା। ହେଲେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିକରି ବାଞ୍ଜିପଦର ଓ ସାପଲହରା ଗ୍ରାମବାସୀ ମଙ୍ଗଳବାର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଶାଶୁଘରର ସମ୍ପୃକ୍ତ ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରି ନ ଥିବାରୁ ବୁଧବାର ଥାନା ସମ୍ମୁଖରେ ଅର୍ନିଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଦେବା ପାଇଁ ଗ୍ରାମବାସୀ ଲିଖିତ ଭାବେ ଜଣାଇଛନ୍ତି। ଏ ସଂକ୍ରାନ୍ତରେ କେସିଙ୍ଗା ଆଇଆଇସି ଜିତେନ୍ଦ୍ର ବିଶ୍ବାଳଙ୍କୁ ପଚାରିବାରୁ ଫେରାର ଥିବା ରୋମାଞ୍ଚଳ ସାହୁଙ୍କ ଲୋକେସନ ଜଣାପଡୁନି। ଦୈନିକ ଆମେ ଲୋକେସନ ଦେଖୁଛୁ, ଜଣାପଡିବା ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବୁ ବୋଲି ପ୍ରକାଶ କରିଥିଲେ।



