ଆନନ୍ଦପୁର,୮ା୮(ସୁଶାନ୍ତ କୁମାର ସାହୁ): ପିଲା ଚୋରି ସନ୍ଦେହ କରି ଜଣେ ଯୁବକଙ୍କୁ ଅଟକ ରଖି ପୋଲିସର ଜିମା ଦେଲେ ଗ୍ରାମବାସୀ। କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ନୂଆଗାଁ ଏବଂ ଖଲଣା ଗାଁରେ ପିଲା ଚୋରିକୁ ନେଇ ଏକ ଗୁଜବ ପ୍ରଚାର ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ଖଲଣା ଗାଁ ବନ୍ଧ ନିକଟରେ ଏକ ଅଜଣା ଯୁବକ ଚାଲିଚାଲି ଯାଉଥିବା ବେଳେ କିଛି ଲୋକ ପିଲା ଚୋର ବୋଲି ପାଟି କରିବାରୁ ଯୁବକ ଜଣକ ମାଡ଼ ଭୟରେ ଦୌଡ଼ିବାକୁ ଲାଗିଥିଲେ। ପରେ କଥା ପ୍ରଘଟ ହୋଇଯିବା ପରେ ଶତାଧିକ ଗ୍ରାମବାସୀ ମିଶି ଯୁବକଙ୍କ ପିଛା କରି ଜେନାପଦା ଗାଁ ନିକଟରେ କାବୁ କରିବା ପରେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଅଧିକ ପଚରାଉଚରା ପରେ ଉକ୍ତ ଯୁବକ ଜଣକ ଘର କଟକ ଆଠଗଡ଼ ଅଞ୍ଚଳରେ ବୋଲି ଜାଣିବାକୁ ପାଇଛି। ସେ ପିଲା ଚୋର ନୁହନ୍ତି, କୌଣସି କାମରେ ଆସି ଏଠାରେ ଅଟକି ଥିଲେ, ହଠାତ ଲୋକଙ୍କ ପାଟି ଶୁଣି ଦୌଡ଼ିଥିଲେ ବୋଲି କହିଥିଲେ। ଆଜିର ଘଟଣା ପରେ ଜନସାଧାରଣ କୌଣସି ଗୁଜବରେ ବିଶ୍ବାସ ନ କରି ଯଥାସମ୍ଭବ ପୋଲିସର ସହଯୋଗ ଲୋଡ଼ନ୍ତୁ ବୋଲି ବୁଦ୍ଧିଜୀବୀ ନିବେଦନ କରିଛନ୍ତି।