ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ସିଜିମାଳୀ ଖଣି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଙ୍କୁ ସ୍ଥାୟୀ ଭାବେ ବସବାସ କରାଇବା ପାଇଁ କୁରୁକୁଟି ମୌଜାର ଥୁଆଗୁଡ଼ା ଗ୍ରାମ ନିକଟରେ ପ୍ରାୟ ୪୨ ଏକର ଜମିରେ କଲୋନୀ ନିର୍ମାଣ ପାଇଁ ଯୋଜନା ରହିଛି। ମାତ୍ର ଏହି ପ୍ରକ୍ରିୟାରେ ଗ୍ରାମସଭାର ଭୂମିକା ଓ ସ୍ଥାନୀୟ ଲୋକଙ୍କ ସମ୍ମତିକୁ ନେଇ ବିବାଦ ଉପୁଜିଛି, ଯାହା ଫଳରେ ବିଗତ ୬ ଦିନ ହେଲା ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଯେକୌଣସି ପ୍ରକଳ୍ପ ଆରମ୍ଭ ପୂର୍ବରୁ ବିଧିବଦ୍ଧ ଭାବେ ଗ୍ରାମସଭା ଆୟୋଜନ କରି ସ୍ଥାନୀୟ ଲୋକଙ୍କ ମତାମତ ନେବା ଆବଶ୍ୟକ। କୁରୁକୁଟି ମୌଜାରେ ଥିବା ଜମିକୁ ପ୍ରଥମେ ସେହି ଅଞ୍ଚଳର ଭୂମିହୀନ ଗ୍ରାମବାସୀଙ୍କୁ ପ୍ରଦାନ କରାଯାଉ ଏବଂ ବଳକା ଜମିକୁ ସ୍କୁଲ କିମ୍ବା କଲେଜ ପରି ସାର୍ବଜନୀନ ଶିକ୍ଷାନୁଷ୍ଠାନ ପାଇଁ ସଦୁପଯୋଗ କରାଯାଉ ବୋଲି ଦାବି ହୋଇଛି। ବିଶେଷ କରି ଜମି ହସ୍ତାନ୍ତର ପ୍ରକ୍ରିୟାରେ ’ଫର୍ମ-ବି’ ଓ ’ଫର୍ମ-ସି’ (Form B & C) ର ନିୟମାବଳୀକୁ କଡ଼ାକଡ଼ି ପାଳନ କରିବାକୁ ଲୋକେ ଜିଦ୍‌ ଧରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୨୪୪ ଏବଂ ଜଙ୍ଗଲ ଅଧିକାର ଆଇନ (FRA) ଅନ୍ତର୍ଗତ ନିଜର ପାରମ୍ପରିକ ଅଧିକାର ସୁରକ୍ଷିତ ରଖିବାକୁ ପୁତୁଲିଙ୍ଗମାଳି ଓ ତିଜିମାଳି ଅଞ୍ଚଳର ପ୍ରାୟ ୭୫ରୁ ଅଧିକ ପରିବାର ମେଳି ବାନ୍ଧିଛନ୍ତି।

ସ୍ଥିତି ପରଖିବାକୁ ଏବଂ ଆନ୍ଦୋଳନର ସମାଧାନ ପାଇଁ ଉପ-ଜିଲାପାଳ (Sub-Collector) ଓ ଏସ୍‌ଡିପିଓ (SDPO) ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ତଥାପି ଗ୍ରାମସଭାର ଚୂଡ଼ାନ୍ତ ନିଷ୍ପତ୍ତି ପର୍ଯ୍ୟନ୍ତ କୌଣସି ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଗ୍ରାମବାସୀ ସମ୍ମତି ପ୍ରକାଶ କରିନାହାନ୍ତି। ଏବେ ମଧ୍ୟ ଘଟଣାସ୍ଥଳରେ ଟ୍ରକ୍‌ ଓ ଜେସିବି ସମେତ ବିଭିନ୍ନ ଯାନବାହନ ଅଟକି ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ରହିଥିବା ବେଳେ ଗ୍ରାମବାସୀ ନିଜର ଦାବି ପୂରଣ ନ ହେବା ଯାଏ ଦିନରାତି ଜମି ଜଗି ରହିଛନ୍ତି। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଆଦିବାସୀ ସଂଗଠନଗୁଡ଼ିକ ମଧ୍ୟ ଏହି ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Share