ଭୁବନେଶ୍ୱର,୧୫।୧: ଦଳୀୟ ବିଶୃଙ୍ଖଳାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ବିଧାୟକଙ୍କୁ ଦଳରୁ ସସ୍ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ତଥା ବିଧାୟକ ଅରବିନ୍ଦ ରହିଛନ୍ତି। ଏହା ଜଣାପଡ଼ିବା ପରେ ବିଜୟ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ମୁଁ ହତବାକ, ଏଭଳି ଖବର ଶୁଣି ଆଶ୍ଚର୍ଯ୍ୟ ହେଲି। କାହିଁକି ଏଭଳି ହେଲା ମୁଁ କିଛି ଜାଣିନି। ମୁଁ ଜାଣିବାରେ ପୁଅ ସେପରି କିଛି କରିନି। ମୁଁ କୌଣସି ଦଳରେ ନାହିଁ, ନିର୍ବାଚନମଣ୍ଡଳୀର ସ୍ବାର୍ଥ ପାଇଁ କାମ କରୁଛି ବୋଲି ସେ କହିଛନ୍ତି।
ପ୍ରକାଶ ଯେ,ଦଳ ବିରୋଧି କାର୍ଯ୍ୟ ଲାଗି ବିଜେଡିରୁ ୨ ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ କରାଯାଇଛି। ଭଲ ଭାବେ ଅନୁଧ୍ୟାନ ସହ ନୀତି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଦଳ ପକ୍ଷରୁ କୁହାଯାଇଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ଦୁହେଁ।
ଅରବିନ୍ଦ କହିଛନ୍ତି ଯେ, ମୁଁ ଜାଣିନି କାହିଁକି ମୋ’ ଉପରେ ଆକ୍ସନ ନିଆଯାଇଛି। କାହା ସହ ମୋର ମନ୍ତାନ୍ତର ନ ଥିଲା। ମୁଁ କୌଣସି ଦଳ ବିରୋଧୀ କାମ କରିନି। ମୁଁ ଦଳକୁ ଅସୁବିଧାରେ ପକାଇବା ଭଳି ବୟାନ ମଧ୍ୟ ଦେଇ ନାହିଁ। ମୋ’ ବାପା ସ୍ବତନ୍ତ୍ର, ସେ ଜଣେ ପରିଚିତ ନେତା। ସେ ମୋ’ କାମରେ ମୁଣ୍ଡ ପୁରାନ୍ତି ନାହିଁ। ସେ ଯାହା କରିବେ ତାଙ୍କ ବ୍ୟାପାର। କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ନିଆଯାଇଛି ସେ ବିଷୟରେ ଜାଣିବା ପରେ ବିସ୍ତୁତ ପ୍ରତିକ୍ରିୟା ଗଣମାଧ୍ୟମରେ ରଖିବି ବୋଲି ସେ କହିଛନ୍ତି।
ସେହିଭଳି ସନାତନ କହିଛନ୍ତି ଯେ, ମୁଁ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହିଁ। ୧୩ ତାରିଖ ମିଟିଂରେ ମୁଁ ନବୀନଙ୍କ ନାଁ ନେଇନି, ବିରୋଧରେ ମଧ୍ୟ କିଛି କହିନି। ବିଜେଡି ସମୟରେ କେନ୍ଦୁଝର ବିକାଶ ହୋଇନି କହିଥିଲି। ଯଦି ଏତିକିରେ ସସପେଣ୍ଡ କରିବେ ତାହେଲେ ମୁଁ କିଛି କହିପାରିବିନି। ସସପେଣ୍ଡ କରିବା ପୂର୍ବରୁ ଡାକିଥିଲେ ନିଶ୍ଚିତ ଯାଇଥାନ୍ତି। ସସପେଣ୍ଡ କରିବା ପରେ ସଭାପତିଙ୍କୁ ଦେଖା କରିବା ଠିକ ହେବନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।