କେନ୍ଦୁଝର ଡିଭିଜନ DFO ଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

କେନ୍ଦୁଝର,୨୦।୭: ଓଡ଼ିଶା ଭିଜିଲାନ୍ସ ଦ୍ୱାରା ରବିବାର କେନ୍ଦୁଝର କେନ୍ଦୁ ପତ୍ର ଡିଭିଜନର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ) ନିତ୍ୟାନନ୍ଦ ନାୟକଙ୍କ ବିରୋଧରେ ଆୟ ବହିର୍ଭୁତ୍ତ ସମ୍ପତ୍ତି (DA) ଅଭିଯୋଗରେ ଅନୁସନ୍ଧାନ ଆରମ୍ଭ ହୋଇଛି।

ଏହି ତଦନ୍ତ କେନ୍ଦୁଝର, ଅନୁଗୁଳ ଓ ନୟାଗଡ଼ ଜିଲାରେ ଥିବା ତାଙ୍କର ୭ଟି ସ୍ଥାନରେ ଏକକାଳୀନ ଚାଲିଛି। ଏହି ଅଭିଯାନ ଭିଜିଲାନ୍ସର ୩ ଜଣ ଡିଏସପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀଙ୍କ ଦ୍ୱାରା କେନ୍ଦୁଝର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚାଲିଛି।

ତଦନ୍ତ ଚାଲିଥିବା ସ୍ଥାନଗୁଡ଼ିକ ହେଉଛି:

ଅନୁଗୁଳରେ ଥିବା ଏକ ଚାରି ମହଲା ବିଶିଷ୍ଟ ବିଲଡିଂ।
ଅନୁଗୁଳ ଜିଲାର ବଣ୍ଟାଳା ଥାନା ଅଧୀନ ମଦନମୋହନ ପଟଣା ଗ୍ରାମରେ ତାଙ୍କର ପୈତୃକ ଘର।
ଅନୁଗୁଳ ଜଗନ୍ନାଥପୁରରେ ତାଙ୍କ ଶଶୁର ଘର।
କେନ୍ଦୁଝରରେ ଥିବା ଡିଏଫଓ, କେନ୍ଦୁ ପତ୍ର ଡିଭିଜନର ଅଫିସ।
କେନ୍ଦୁଝରରେ ତାଙ୍କର ସରକାରୀ ବାସଭବନ।
ନୟାଗଡ଼ ଜିଲାର କୋମଣ୍ଡାରେ ତାଙ୍କ ପୁଅଙ୍କ ବାସଗୃହ।
ନୟାଗଡ଼ ଜିଲାର ନୂଆ-କୋମଣ୍ଡାରେ ତାଙ୍କ ପୁଅଙ୍କ ଅଫିସ ଚାମ୍ବର (PHC)।

ବର୍ତ୍ତମାନ ତଦନ୍ତ ଚାଲୁ ରହିଛି ଏବଂ ଅଧିକ ତଥ୍ୟ ପାଇଁ ଅପେକ୍ଷା କରାଯାଉଛି। ଭିଜିଲାନ୍ସ ଏହି ଅଭିଯାନରେ ନିତ୍ୟାନନ୍ଦ ନାୟକଙ୍କ ସମ୍ପତ୍ତି ଓ ଆର୍ଥିକ କାରବାରର ସମ୍ପୂର୍ଣ୍ଣ ଯାଞ୍ଚ କରୁଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି।