PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି l ବାଲେଶ୍ୱର ଭିଜିଲାନ୍ସ ଏସ୍‌ପିି ଅରୁଣ ନାୟକ କହିଛନ୍ତି ଯେ ପିଇଓ ଜିତେନ୍ଦ୍ରଙ୍କୁ ଅଦ୍ୟାବଧି ଗିରଫ କରାଯାଇନାହିଁ। ପଚରାଉଚରା ଚାଲିଛି । ସୂଚନା ଯୋଗ୍ୟ, ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ତରଫରୁ ଏହି ଚଢ଼ାଉ ହୋଇଛି । ଜିତେନ୍ଦ୍ର ହାଟଡିହୀ ବ୍ଲକର ବିଭିନ୍ନ ପଞ୍ଚାୟତର ପିଇଓ ଭାବେ ଦାୟିତ୍ୱ ତୁଲାଇଥିବାବେଳେ ଏବେ ବଞ୍ଚୋ, ବଡ଼ରମ୍ପାସ ଏବଂ ବାଲିବରେଇ ପଞ୍ଚାୟତର ପିଇଓ ଅଛନ୍ତି । ବାଲେଶ୍ୱର ଡିଭିଜନ ଭିଜିଲାନ୍ସ ସମେତ ଏହା ଅଧୀନ ଭଦ୍ରକ ଏବଂ କେନ୍ଦୁଝର ଭିଜିଲାନ୍ସ ଚଢ଼ାଉରେ ସାମିଲ ହୋଇଛନ୍ତି । ଜିତେନ୍ଦ୍ରଙ୍କ ମରୈଗାଁରେ ଥିବା ଘର,ବସନ୍ତିଆରେ ଥିବା ଘର ଏବଂ ଦୋକାନ, ଗୋଦାମ ଘର, ବନ୍ତଳାରେ ଥିବା ପୈତୃକ ଘର, ବଞ୍ଚୋ, ବାଲିବରେଇ, ବଡ଼ରମ୍ପାସ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ କରାଯାଇଥିଲା। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ, ବେଆଇନ କାର୍ଯ୍ୟ ଅଭିଯୋଗରେ ଏହି ଚଢ଼ାଉ ହେଉଥିବା ଜଣାପଡିଛି । ଭିଜିଲାନ୍ସ ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି।

Dharitri – The Largest & Most Trusted Odia Daily