୨୩ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି: ନେତାଜୀ ଜୟନ୍ତୀରେ ଯୋଗଦେବେ

ଭୁବନେଶ୍ୱର,୨୧ା୧(ରବିନାରାୟଣ ଜେନା):ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଜାନୁଆରୀ ୨୩ରେ ଓଡ଼ିଶା ଗସ୍ତରେ ଆସି କଟକରେ ହେବାକୁ ଥିବା ନେତାଜୀ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏସଂକ୍ରାନ୍ତରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ୟକ୍ତିଗତ ସଚିବ ଚନ୍ଦ୍ରଶେଖର ଏସ୍‌. ସୋମବାର ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।
ଚନ୍ଦ୍ରଶେଖରଙ୍କ ପତ୍ର ଅନୁଯାୟୀ, ଆସନ୍ତା ଶୁକ୍ରବାର ପୂର୍ବାହ୍ନ ୮ଟା ୫୦ ମିନିଟ୍‌ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉପରାଷ୍ଟ୍ରପତି ପହଞ୍ଚିବେ। ସେଠାରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ୯ଟା ୩୫ ମିନିଟ୍‌ରେ ପରାକ୍ରମ ଦିବସରେ କଟକସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ତଥା ସଂଗ୍ରହାଳୟ ପରିଦର୍ଶନ କରିବେ। ସେଠାରୁ ଲୋକଭବନକୁ ଫେରିବେ ଏବଂ ଅପରାହ୍ନ ୩.୧୫ ମିନିଟ୍‌ରେ କୋଲ୍‌କାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର ଅଭିମୁଖେ ଗସ୍ତ କରିବେ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକାଳରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ଯେପରି ଶୃଙ୍ଖଳିତ ରହିବ ସେଥିପ୍ରତି ଦୃଷ୍ଟିଦେବାକୁ ପତ୍ରରେ ଦର୍ଶାଯାଇଛି।
ଏହି ପରିପ୍ରେକ୍ଷୀରେ ଉପରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ
ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ଖଣି ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ସମେତ ଅନ୍ୟ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀ ଯୋଗଦେଇଥିଲେ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ, ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily