ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ ଜିଲାଜଜ୍‌ -୩ ବିବସ୍ବତ ଗୌତମ ମାମଲାର ବିଚାର କରି ମାମଲାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ ଗୋଷାଣି ନୂଆଗାଁ ଥାନା ଅଞ୍ଚଳର ରୂପେଶ ପାଢ଼ୀ(୩୦), ଶ୍ରୀନୁ ପାତ୍ର(୩୮), ଦିଗପହଣ୍ଡି ଥାନା ଅନ୍ତର୍ଗତ ଭୀଷ୍ମଗିରି ବନ୍ଧସାହିର ରଞ୍ଜିତ କୁମାର ସାହୁ ଓରଫ ନାକା (୨୯) ଶିବ ମହାକୁଡ଼ (୨୯) ଓ ଅନ୍ୟ ଏକ ମାମଲାରେ ଗିରଫ ହୋଇ ଢେଙ୍କାନାଳ ଜେଲରେ ଥିବା ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ବେଢ଼ାବନ୍ଧ ସାହିର ଶଙ୍କର ସାହୁ(୩୧)। ଏପରିକି ପ୍ରତ୍ୟେକ ଅଭିଯୁକ୍ତ ୧୩ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୧୮ ମାସ ଲେଖାଏ ଜେଲ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି।

୨୦୨୦ ଜୁନ ୧୨ ତାରିଖ ବିଳମ୍ବିତ ରାତିରେ ହେରିଟେଜ କମ୍ପାନୀର କ୍ଷୀର ବ୍ୟବସାୟୀ ଲମ୍ବୋଦରଙ୍କୁ ହିଲପାଟଣାସ୍ଥିତ ତାଙ୍କ ଗୋଦାମରେ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ଲୁଟ୍‌ ଉଦ୍ଦେଶ୍ୟରେ ଆସିଥିଲେ। ଘରେ ଲୁଟେରାଙ୍କ ଶବ୍ଦ ଶୁଣି ଲମ୍ବୋଦର ନିଦରୁ ଉଠି ପଡିଥିବା ବେଳେ ସେମାନେ ଧରାପଡିଯିବା ଭୟରେ ତାଙ୍କୁ ହତ୍ୟା କରିଥିଲେ। ଗୋଦାମ ମ୍ୟାନେଜର ଭି. ବିନୟ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୮୭/୨୦ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ପର୍ଯ୍ୟାୟ କ୍ରମେ ଅଭିଯୁକ୍ତ ରୂପେଶ, ଶ୍ରୀନୁ, ରଞ୍ଜିତ, ଶିବଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ମୁଖ୍ୟ ଅଭିଯୁକ୍ତ ଶଙ୍କର ଫେରାର ଥିବାବେଳେ ଢେଙ୍କାନାଳରେ ଏକ ଡକାୟତି ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ। ବ୍ରହ୍ମପୁର ପୋଲିସ ତାଙ୍କୁ ରିମାଣ୍ଡରେ ଆଣି ଏସଡିଜେଏମ୍‌ କୋର୍ଟରେ ହାଜର କରି ଲମ୍ବୋଦର ହତ୍ୟା ମାମଲାରେ ଜଡ଼ିତ କରିଥିଲା। ଲମ୍ବୋଦର କ୍ଷୀର ଗୋଦାମରେ ଏକାକୀ ଶୋଇଥିବା ବେଳେ ସେଠାରେ ଟଙ୍କା ଓ ସୁନା ଥିବା ଜାଣି ଅଭିଯୁକ୍ତମାନେ ସେସବୁ ଲୁଟିବାକୁ ନିକଟସ୍ଥ ଏକ ହୋଟେଲରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଥିଲା।

ଉକ୍ତ ମାମଲାର ବିଚାର ବେଳେ ୪୧ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଗିରଫ ପରଠାରୁ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଥିବା ୪ ଅଭିଯୁକ୍ତଙ୍କୁ କୋର୍ଟକୁ ଅଣାଯାଇଥିଲା। ଢେଙ୍କାନାଳ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଭିସି ମାଧ୍ୟମରେ ହାଜର କରାଯାଇଥିଲା। ସରକାରଙ୍କ ପକ୍ଷରୁ କ୍ୟାଡର ପିପି ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ।