କାଲିମେଳା,୩୧।୧(ଜୀବନକୃଷ୍ଣ ଦାସ ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଭେଙ୍କଟପଲମ ପଞ୍ଚାୟତରେ ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ପରିଦର୍ଶନ କରିଛନ୍ତି ବିଧାନସଭା ଷ୍ଟାଣ୍ଡିଂ କମିଟିର ସଦସ୍ୟ। କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ହରଘର ନଳ ହରଘର ଜଳ’ ଯୋଜନା ମାଧ୍ୟମରେ ପ୍ରତି ପରିବାରକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଭେଙ୍କଟପଲମଠାରେ ନିର୍ମିତ ମେଗା ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏହା ଲୋକଙ୍କ କାମରେ ଉପଯୋଗୀ ହୋଇପରିଛି କି ନାହିଁ ତାହା ସମୀକ୍ଷା କରା ଯାଇଥିଲା। ବିଧାନସଭା ଷ୍ଟାଣ୍ଡିଂ ସ୍ଥାୟୀ କମିଟି ଅଧ୍ୟକ୍ଷ ତଥା ବଡ଼ସାହି ବିଧାୟକ ସନାତନ ବିଜୁଳିିଙ୍କ ଅଧ୍ୟକ୍ଷତାରେ , ବଡଚଣା ବିଧାୟକ ଅମର କୁମାର ନାୟକ , ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କଟକ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବାରୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ, ମନୋରଞ୍ଜନ ଧ୍ୟାନ ସାମନ୍ତରାୟ, ଖରିଆର ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ପ୍ରମୁଖ କମିଟି ସଦସ୍ୟ ଗସ୍ତ କରିଥିଲେ।
କାଲିମେଳାଠାରୁ ମାତ୍ର ୫କିମି ଦୂରରେ ଅବସ୍ଥିତ ଭେଙ୍କଟପଲମ ପଞ୍ଚାୟତ ସଦର ଗ୍ରାମ ନିକଟରେ ପ୍ରବାହିତ ହେଉଥିବା ପୋଟେରୁ ନଦୀକୂଳରେ ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଦୀର୍ଘ ୭ ବର୍ଷ ବିତିଯାଇଥିଲେ ସୁଦ୍ଧା ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକରି ହୋଇ ପାରନାହିଁ । ୨୦୧୭-୧୮ ଆର୍ଥିକ ବର୍ଷରେ ଅହମଦାବାଦର କଳ୍ପତରୁ ଗ୍ରୁପ ଅଫ କମ୍ପାନୀ ଦ୍ବାରା ପରିଚାଳିତ ଜେଏମ୍ସି ଓ ଆର.ଆଇ.ଡିଏଫ ପ୍ରାଇଭେଟ ଲିମିଟେଡ ନାମକ କମ୍ପାନୀ ଏହି ମେଗା ପାନୀୟ ଜଳ ପ୍ରକଳ୍ପ କାମ ହାତକୁ ନେଇଥିଲା। ୪.୫ ଏସ୍ଏଲ୍ତି କ୍ଷମତା ବିଶିଷ୍ଟ ମେଗା ପାନୀୟ ଜଳ ପ୍ରକଳ୍ପ ଦ୍ୱାରା କାଲିମେଳା ବ୍ଲକର ବଡିଗେଟା, କାଲିମେଳା, ଭେଙ୍କଟପଲମ, ଗମ୍ଫାକୋଣ୍ଡା ଏବଂ କଇମେଟଲା ୫ଟି ପଞ୍ଚାୟତରର ପ୍ରାୟ ୫୮୬୫ ପରିବାର ଘରେ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖା ଯାଇଛି।
ଏଥିପାଇଁ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ଜଣାପଡିଛି । ନଦୀର ଦୂଷିତ ପାଣିକୁ ବିଶୁଦ୍ଧ କରି ଏହାକୁ ପାନୀୟ ଜଳ ଭାବେ ଗ୍ରହଣ କରାଯିବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରକଳ୍ପ ପରିଦର୍ଶନ ପରେ କମିଟି ଅଧକ୍ଷ ବିଜୁଳି ଏବଂ ଅନ୍ୟ ସଦସ୍ୟମାନେ ମତ ରଖିଥିଲେ ଯେ ଆମେ ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଲୁ ୨୦୨୨ ମସିହାରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବା କଥା ତାହାର ଆହେତୁକ ବିଳମ୍ବ ହୋଇଛି ବର୍ତ୍ତମାନ ଲୋକଙ୍କ ପାଖରେ ପାଣି ପହଞ୍ଚିଛି ଏହି ପ୍ରକଳ୍ପ ଦ୍ୱାାରା ୫ଟି ପଞ୍ଚାୟତର ୨୧ଗୋଟି ଗ୍ରାମକୁ ପାଣି ଯିବା କଥା ସେଥିରୁ ୧୮ଟି ଗାଁକୁ ପାଣି ଯାଉଚି। ଆଓ ଦୁଇ ମାସ ଭିତରେ ସବୁ ଗାଁକୁ ପାଣି ଯିବ କହିଛନ୍ତି । ଏ ନେଇ ଜିଲାପାଳଙ୍କ ସହିତ ବୈଠକ କରି ତୁରନ୍ତ କାର୍ଯ୍ୟ କରିବା ପାଇଁ ଆମେ ପରାମର୍ଶ ଦେବୁ ବୁଲି କହିଛନ୍ତି । ଏହି ଗସ୍ତ ସମୟରେ କାଲିମେଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କରଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

