ଦିଗ ଅନୁଯାୟୀ ଫଳ

ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ ଏହିପରି ଚାରି ଦିଗ ରହିଛି। ଆଉ ପ୍ରତି ଦିଗର କିଛି ନା କିଛି ପ୍ରଭାବ ଆମ ଜୀବନଶୈଳୀ ଓ ଘର ଉପରେ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି; ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଦେବାଦେବୀଙ୍କର ମୂର୍ତ୍ତି ହେଉ ଅବା ଫଟୋକୁ ଘରର ପୂର୍ବ ଦିଗରେ ଏପରି ସ୍ଥାପନା କରିବେ, ଯେମିତିକି ତାଙ୍କ ମୁଖ ପଶ୍ଚିମ ଦିଗ ଆଡକୁ ଏବଂ ପୂଜା କରିବା ସମୟରେ ଆପଣଙ୍କ ମୁହଁ ପୂର୍ବ ଦିଗ ଆଡକୁ ରହୁଥିବ। ଏପରି କଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

* ଘରର ଦକ୍ଷିଣ-ପୂର୍ବ କୋଣରେ ସବୁଜିମାଭରା ଚିତ୍ର ଲଗାଇବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇ ଶାନ୍ତି ବଜାୟ ରହିଥାଏ ବୋଲି ବିଶ୍ୱାସ କରାଯାଏ।

* ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ।

* ଘଣ୍ଟାକୁ ସର୍ବଦା ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗର କାନ୍ଥରେ ଲଗାଇବା ଦରକାର। ଯେହେତୁ ଦକ୍ଷିଣ ଦିଗ ହେଉଛି ଯମରାଜଙ୍କର ଦିଗ ତେଣୁ ସେହି ଦିଗରେ ଘଣ୍ଟା ନ ଲଗାଇବା ଉଚିତ୍‌। କାରଣ ଏହାଦ୍ୱାରା ଘରର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ। ଖାସ୍‌ କରି ଆୟୁ ଓ ସ୍ବାସ୍ଥ୍ୟହାନୀର ଏହା କାରଣ ସାଜିଥାଏ।

* ଉତ୍ତର ଦିଗକୁ ମୁହଁ କରି ପାଠପଢିଲେ ପାଠ ଭଲ ମନେ ରହିଥାଏ। ସେହିପରି ପୂର୍ବ ଦୁଗକୁ ମଧ୍ୟ ମୁହଁ କରି ପାଠ ପଢିଲେ ଶୁଭଫଳ ମିଳିଥାଏ।