ଦୁବାଇ, ୭ା୩: ନ୍ୟୁଜିଲାଣ୍ଡ ଦଳର ମୁଖ୍ୟ କୋଚ ଗ୍ୟାରୀ ଷ୍ଟିଡଙ୍କ ମତରେ ଆସନ୍ତା ରବିବାର ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ବରୁଣ ଚକ୍ରବର୍ତ୍ତୀ ବଡ଼ ବିପଦ ହୋଇପାରନ୍ତି। ଏଥିଯୋଗୁ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ମିଷ୍ଟ୍ରୀ ସ୍ପିନରଙ୍କ ମୁକାବିଲା କରିବା ପାଇଁ ବାଟ ଖୋଜୁଛି।
ବିପକ୍ଷ ଲିଗ ମ୍ୟାଚରେ ବରୁଣ ୪୨ ରନ ଦେଇ ୫ ଉଇକେଟ ଅକ୍ତିଆର କରିଥିଲେ। ଏଥିଯୋଗୁ ଫାଇନାଲରେ ତାଙ୍କର ଖେଳିବା ନିଶ୍ଚିତ। ସେ ଜଣେ କ୍ଲାସ ବୋଲର ଏବଂ ଗତଥର ଆମ ବିପକ୍ଷରେ ତାଙ୍କ ଦକ୍ଷତା ପ୍ରଦର୍ଶିତ କରିଥିଲେ। ସେ ମ୍ୟାଚରେ ଆମ ପାଇଁ ବଡ଼ ବିପଦ ସାଜିପାରନ୍ତି। ଏଣୁ ତାଙ୍କ ପ୍ରଭାବକୁ କେଉଁଭଳି ସୀମିତ ଏବଂ ତାଙ୍କ ବିପକ୍ଷରେ କେଉଁଭଳି ରନ କରିପାରିବୁ, ସେ ସମ୍ପର୍କରେ ଆମେ ଚିନ୍ତା କରୁଛୁ ବୋଲି ଷ୍ଟିଡ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।


