ବିବିଧ ସମସ୍ୟା, ଏକକ ସମାଧାନ କେନ୍ଦ୍ର

ବାଲେଶ୍ୱର ଅଫିସ, ୨୩।୧୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ନିକଟରେ ଏହାର ଗ୍ରାହକ ଅଭିଯୋଗ ସମାଧାନ ପ୍ରକଳ୍ପ ‘ନିଷ୍ଠା’ର ଶୁଭାରମ୍ଭ କରାଯାଇଛି। ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ ଏବଂ ବିଦ୍ୟୁତ୍‌ଜନିତ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ‘ନିଷ୍ଠା’ ପ୍ରକଳ୍ପ ଆରମ୍ଭ କରାଯାଇଛି। ପ୍ରୋଜେକ୍ଟ ନିଷ୍ଠା ଜରିଆରେ ଟିପିଏନ୍‌ଓଡିଏଲ୍‌ ପକ୍ଷରୁ ମିଟର୍‌ ନ ଥିବା, ସଂଯୋଗ କିମ୍ବା ତ୍ରୁଟିପୂର୍ଣ୍ଣ ମିଟର୍‌, ବ୍ୟବସ୍ଥାରେ ସୌଭାଗ୍ୟ ମିଟର୍‌କୁ ଅପଡେଟ୍‌ କରିବା ଆଦି ସମସ୍ୟାର ସମାଧାନ କରାଯିବ।
ଟିପିଏନ୍‌ଓଡିଏଲ୍‌ ଅଧୀନରେ ଥିବା ଜିଲାଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ୧୬ ଡିଭିଜନ୍‌ରେ ପ୍ରାୟ ୨୨୪ ଶିବିର ଆୟୋଜନ କରାଯାଇଛି। ଯେଉଁଥିରେ ୫୧୭୯ ଜଣ ଗ୍ରାହକ ଭାଗ ନେଇଛନ୍ତି। ଏହାବ୍ୟତୀତ କମ୍ପାନୀ ସଫଳତାର ସହିତ ୩୩୪୩ରୁ ଅଧିକ ସ୍ପଟ୍‌ ବିଲ୍‌ର ସମାଧାନ କରାଯାଇଛି। ୧୦୧ ନୂଆ ସଂଯୋଗ ପଞ୍ଜୀକୃତ କରିଥିବା ବେଳେ ୪୫୭ ସ୍ପଟ୍‌ ରିଡିଂ ଭିତ୍ତିକ ବିଲ୍‌ ସୃଷ୍ଟି କରିଛି। ୨୪ଟି ବିଦ୍ୟୁତ୍‌ ସଂଯୋଗ କାଟିବା ନୋଟିସ୍‌ ଜାରି କରିଛି। ୪୩୨ଟି ମିଟର ତଥ୍ୟକୁ ସ୍ପଟ୍‌ରେ ହାସଲ କରାଯାଇଛି ଏବଂ ଏହି ପ୍ରକଳ୍ପ ଜରିଆରେ ୧୩୪ଟି ଗ୍ରାହକ ତଥ୍ୟର ସ୍ପଟ୍‌ ସଂଶୋଧନ କରାଯାଇଛି।
ଏନେଇ ଟିପିଏନ୍‌ଓଡିଏଲ୍‌ ସିଇଓ ଭାସ୍କର ସରକାର କହିଛନ୍ତି ଯେ, ଗ୍ରାହକ ସନ୍ତୁଷ୍ଟି ହେଉଛି ଟିପିଏନ୍‌ଓଡିଏଲ୍‌ ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ନିଷ୍ଠା ପ୍ରକଳ୍ପ ସହିତ ଗ୍ରାହକଙ୍କୁ ଭରସାଯୋଗ୍ୟ, ସୁଲଭ ଓ ଗୁଣାମତ୍କ ବିଦ୍ୟୁତ୍‌ ଯୋଗାଇବାର ପ୍ରତିବଦ୍ଧତାକୁ ସୁଦୃଢ଼ କରୁଛୁ। ବିଦ୍ୟୁତ୍‌ ଉପଭୋକ୍ତାମାନେ ଏହି ପ୍ରକଳ୍ପରୁ ଉପକୃତ ହେବେ।