ସାକ୍ଷୀଗୋପାଳ,୩ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ବିଶ୍ୱବିଦ୍ୟାଳୟ ସମ୍ପ୍ରସାରଣ ପାଇଁ ସାକ୍ଷୀଗୋପାଳ ଠାକୁରଙ୍କ ମୂଲ୍ୟବାନ ଜମି ଶାଗମାଛ ଦରରେ ବିକ୍ରି ପ୍ରକ୍ରିୟାକୁ ବିରୋଧ କରି ସତ୍ୟବାଦୀ ସଚେତନ ନାଗରିକ ଓ ଶ୍ରଦ୍ଧାଳୁମାନେ ସାକ୍ଷୀଗୋପାଳ ମନ୍ଦିର ସିଂହଦାର ସମ୍ମୁଖରେ ଶୁକ୍ରବାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶତାଧିକ ଶ୍ରଦ୍ଧାଳୁ ହାତରେ ପ୍ଲାକାର୍ଡ ଧରି ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗର ଏଭଳି ଚକ୍ରାନ୍ତକୁ ନିନ୍ଦା କରିଥିଲେ। ଉଚିତ ବଜାର ଦର ଧାର୍ଯ୍ୟ କରା ନ ଯିବା ପର୍ଯ୍ୟନ୍ତ ବିକ୍ରି ପ୍ରକ୍ରିୟାକୁ ବନ୍ଦ କରିବାକୁ ତୁରନ୍ତ ଆଦେଶ କରାଯାଉ। ଠାକୁରଙ୍କୁ ଠକେଇ ଚଳିବ ନାହଁ। ନଚେତ୍ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଡ୍ଭୋକେଟ ଗୋବିନ୍ଦ ମହାପାତ୍ର କହିଛନ୍ତି। ସେହିପରି ହାଇକୋର୍ଟରେ ନ୍ୟାୟ ପାଇଁ ପ୍ରାର୍ଥନା କରିଥିବା ସେବାୟତ ନରହରି ମହାପାତ୍ର ଠାକୁରଙ୍କୁ ଠକେଇକୁ ଦୃଢ଼ ବିରୋଧ କରାଯିବ ବୋଲି କହିଥିବା ବେଳେ ଆଡଭୋକେଟ ବିନାୟକ ମହାନ୍ତି ଏହି ଷଡ଼ଯନ୍ତ୍ର ରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ୬ବର୍ଷ ତଳେ ବଜାର ଦରରେ ବିକ୍ରି ହୋଇଥିବା ବର୍ତ୍ତମାନ ଦର ନିଶ୍ଚୟ ଅଧିକ ରହିବା କଥା। ମାତ୍ର ଏବେ ଶହେ ଗୁଣ କମ୍ ଦରରେ ବିକ୍ରି ପଛର ରହସ୍ୟ ଉନ୍ମୋଚନ କରି ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି। ସତ୍ୟବାଦୀ ଦାସ, ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ଲୋକନାଥ ବାରିକ, ସୁଦର୍ଶନ ସାହୁ, ଆଡ୍ଭୋକେଟ୍ ସୁଶାନ୍ତ କୁମାର ରଥ ପ୍ରମୁଖ ଠାକୁରଙ୍କ ସମ୍ପତ୍ତି ହସ୍ତାନ୍ତର କ୍ଷେତ୍ରରେ ସ୍ବଚ୍ଛତା ରହିବା ଜରୁରୀ ବୋଲି କହିଥିଲେ।
ସୂଚନାଯୋଗ୍ୟ, ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ୨୦୧୯ରେ ୯. ୬୦ ଏକର ସାକ୍ଷୀଗୋପାଳ ଠାକୁରଙ୍କ ଜମିକୁ ୧୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରୟ କରାଯାଇଛି। ଏବେ ପୁନଶ୍ଚ ଓଡ଼ିଆ ବିଶ୍ୱବିଦ୍ୟାଳୟ ପାଇଁ କେଉଁ ଆଧାରରେ ୬.୪୭ ଏକର ଜମି ୩୩ ଲକ୍ଷ ଟଙ୍କାରେ ବିକ୍ରୟ କରାଯିବ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଠାକୁରଙ୍କ ସ୍ବାର୍ଥକୁ ଅଣଦେଖା କରି କରାଯାଇଥିବା ଏଭଳି ଆଦେଶର ପୁର୍ନବିଚାର କରିବା ଦାବି ଜୋର ଧରିଛି। ତେବେ ସତ୍ୟବାଦୀ ତହସିଲଦାର ତଥା ଭାରପ୍ରାପ୍ତ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ ଏହି ଜମିକୁ ବେଞ୍ଚ ମାର୍କ ଭାଲୁଏଶନଠାରୁ ୧୦ ଗୁଣ ବୃଦ୍ଧି କରି ବିକ୍ରି ପାଇଁ ଆଦେଶ ହୋଇଛି। ପୂର୍ବାପେକ୍ଷା ଦର କମିବା ଏବଂ ସ୍ଥାନୀୟ ବଜାର ଦରକୁ ଦୃଷ୍ଟିରେ ରଖି ଜମିର ମୂଲ୍ୟବୃଦ୍ଧି ପାଇଁ ଦେବୋତ୍ତର କମିଶନରଙ୍କୁ ଅନୁରୋଧ କରାଯାଇଛି। ପରବର୍ତ୍ତୀ ଆଦେଶକୁ ଅପେକ୍ଷା କରାଯାଇଛି ବୋଲି ସେ କହିଛନ୍ତି।